ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଷୋଡଶ ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ବିଜେଡି ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଏବଂ କଂଗ୍ରେସ ସଂଖ୍ୟା ଗରିଷ୍ଟ ନଥିବାରୁ ଉଭୟ ପ୍ରାର୍ଥୀ ଦେଇ ନାହାଁନ୍ତି । ଯେଉଁ କାରଣରୁ ବିଜେଡି ପ୍ରାର୍ଥ ଶ୍ରୀ ସିଂହ ନିଦ୍ୱନ୍ଦରେ ଜିତିବେ ଏବଂ ବିଧାନସଭା ଉପବାଚସ୍ପତି ହେବେ । ଆସନ୍ତାକାଲି ଏ ନେଇ ଔପଚାରିକ ଭାବେ ଘୋଷଣା କରାଯିବ।
ଗତକାଲି ପ୍ରଶ୍ନକାଳ ଶେଷ ହେବା ମାତ୍ରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଉପ-ବାଚସ୍ପତି ନିର୍ବାଚନ ପାଇଁ ଆବେଦନ ପତ୍ର ଦାଖଲ କରିବାକୁ ଆହ୍ଵାନ କରିଥିଲେ ।ବାଚସ୍ପତିଙ୍କ ଘୋଷଣା ଅନୁଯାୟୀ ୨୭ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ଦାଖଲହେବ। ୭ଟାରେ ଯାଞ୍ଚ୍ ହେବ। ଆଗ୍ରହୀ ପ୍ରାର୍ଥୀ ୨୮ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଯଦି ଆବଶ୍ୟକ ପଡ଼େ, ତେବେ ସେହିଦିନ ଅପରାହ୍ନ ୧ଟା ୪ଟା ଯାଏ ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗ୍ରହଣ ହେବ।
ଆଜି ବି ଚାଷୀ ସମସ୍ୟା ଓ ଫୋନି ଥଇଥାନ ପ୍ରସଙ୍ଗରେ ସରଗରମ ରହିପାରେ ବିଧାନସଭା ଗୃହ। କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ କଂଗ୍ରେସ ଦେଇଥିବା ମୁଲତବି ନୋଟିସ୍ ଗ୍ରହଣ ହେଲେ ଏହି ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ଘେରିପାରେ।