ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଖଣି ଦୁର୍ନୀତି ଏବଂ ଚିଟଫଣ୍ଡ ଠକେଇକୁ ମୁଖ୍ୟ ଅସ୍ତ୍ର କରି ନବୀନଙ୍କୁ ଟାର୍ଗେଟ କରିଛନ୍ତି ଧମେନ୍ଦ୍ର । ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମୀଳନୀ କରି ବିଭିନ୍ନ ପ୍ରସଙ୍ଗରେ ନବୀନଙ୍କୁ ଘେରିଛନ୍ତି ଧମେନ୍ଦ୍ର । ରାଜ୍ୟରେ ବିଜେପି ସରକାରକୁ ଆସିଲେ ଚିଟଫଣ୍ଡ ମାମଲାରେ ଜଡିତ ଥିବା ନେତାଙ୍କୁ ଜେଲ ପଠାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ମହିଳାଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବିଭିନ୍ନ ଯୋଜନା କେବଳ ଲୋକ ଦେଖାଣିଆ । ମହିଳା ଭୋଟ ବ୍ୟାଙ୍କ ହାତେଇବା ଲକ୍ଷ୍ୟରେ ଏଭଳି ସବୁ ସଂରକ୍ଷଣ ଏବଂ ବିଭିନ୍ନ ଯୋଜନା ସବୁ ପ୍ରହସନ ବୋଲି କହିଛନ୍ତି ।
ରାଜ୍ୟବାସୀ ନିଜର କଷ୍ଟ ଅର୍ଜିତ ଧନକୁ ଶାସକ ଦଳର କେତେକ ନେତା ଆତ୍ମସାତ କରିଛନ୍ତି । ଚିଟଫଣ୍ଡ କମ୍ପାନୀ ସହିତ ଜଡିତ ରହିଥିଲା ବିଜେଡି । ଏହି ମାମଲରେ ଦଳର ବହୁ ହେବିୱେଟ ଜେଲ ଯାଇଥିବା ବେଳେ ଆଉ କିଛି ନେତାଙ୍କୁ ସିବିଆଇ ଜେରା ମଧ୍ୟ କରିଛି । ତେବେ ଜେରା ହୋଇଥିବା ନେତାଙ୍କ ପୁଣିଥରେ ଟିକେଟ ଦେଇଛି ଦଳ । ଏଣୁ ଗତକାଲି ମଧ୍ୟ ଏକ ସାମ୍ବାଦିକ ସମୀଳନୀ କରି ବିଜେଡିକୁ ଘେରିଥିଲେ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବାରୁ ସମସ୍ତ ରାଜନୈତିକ ଦଳ ଜନତାଙ୍କ ମନ ମୋହିବା ପାଇଁ ଚେଷ୍ଟା କରୁଛନ୍ତି । ଏଣୁ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଟାର୍ଗେଟ କରୁଛନ୍ତି । ବିଜେଡି ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ସୁଦ୍ଧା ବିଜେପି ୧୪୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।