ଭୁବନେଶ୍ୱର,(ଏଟିଆରବ୍ୟୁରୋ): ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସେତିକି ଅଜବ ଦୃଶ୍ୟ ସବୁ ସାମ୍ନାକୁ ଆସୁଛି । ଦିନେ କାଳେ ଦେଖାନଥିବା ନେତାଙ୍କ ଭିଡ଼ ଏବେ ଗାଁ ଗହଳୀରେ ବେଶ ଜମୁଛି । କିଏ କେଉଁ ଚାଳ ଘରେ ବସି ପିଠା ଖାଇଲେଣି ତ’ ଆଉ କିଏ ଅଣ୍ଟା ଭାଙ୍ଗି ପଡିଥିବା ବୁଢ଼ାବୁଢ଼ିଙ୍କୁ ଧରି ଫଟୋ ପୋଜ ଦେଲେଣି । ଏ କଥା ଆମେ ନୁହେଁ ବରଂ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଟୋ ହିଁ ପ୍ରମାଣ କରୁଛି । ପ୍ରଶ୍ନ ଉଠିବା ସ୍ୱାଭାବିକ ଏବେ କାହିଁକି ଏତେ ରଂଗ? ଲୋକଙ୍କ ଲାଗି ହଠାତ୍ ଏତେ ପ୍ରେମ ଉଚ୍ଛୁଳି ପଡିଲା କେମିତି? ଏସି ରୁମରେ ନଶୋଇଲେ ଯେଉଁ ବାବୁଙ୍କୁ ନିଦ ହୁଏନି, ତାରକା ହୋଟେଲରେ ନଖାଇଲେ ଯେଉଁମାନଙ୍କ ଭାତ ହଜମ ହୁଏନି, ଅଚାନକ ସେମାନଙ୍କ ଏଭଳି ହାବଭାବ ଯେତିିକି ଆଶ୍ଚର୍ଯ୍ୟକର ସେତିକି ଚିନ୍ତାଜନକ ମଧ୍ୟ । କାରଣ ଏମାନେ ଏଣ୍ଡୁଅ ଭଳି ରଂଗ ବଦଳାଇବାରେ ମାହିର । ଆମେ ଏଥିପାଇଁ ଏମିତି କହୁଛୁ କାରଣ ନିର୍ବାଚନ ସମୟରେ ଯେଉଁ ବାବୁମାନେ ଭୋଟ ହାତେଇବା ଲାଗି ଗରିବ ଲୋକଟିର ଘର ଦୂଆରେ ଡେରା ପକାନ୍ତି ସେମାନେ ହିଁ ଜିତିବା ପରେ ସେହି ଗରିବ ଲୋକଟିକୁ ନିଜ ଦୂଆରର ପାହାଚ ଚଢ଼ିବାକୁ ସୁଯୋଗ ଦିଅନ୍ତି ନାହିଁ । ଆମେ ସମସ୍ତଙ୍କୁ ଏଥିଲାଗି ଦାୟୀ କହୁନାହୁଁ ବରଂ ଅଧାରୁ ଅଧିକ ନେତା ଏପରି କରୁଥିବା ବାରମ୍ବାର ଅଭିଯୋଗ ଉଠେ ।
ବୋହିଲାଣି ନିର୍ବାଚନ ହାୱା । ଏହି ହାୱାରେ ନେତା ବି ଲୋକଙ୍କୁ ପ୍ରତିଶ୍ରୁତି ପରେ ପ୍ରତିଶୃତି ଦେଇ ପବନ କଲେଣି । ଅମୁକ କରିଦେବୁ ସମୁକ କରିଦେବୁ କହି ଗଳାଫଟା ଚିକ୍ରାର କରୁଥିବା ନଜରକୁ ଆସୁଛି । ଜଣାନାହିଁ ସେମାନଙ୍କ ପ୍ରତିଶ୍ରୁତି କେତେ ପୂରଣ ହେବ କିନ୍ତୁ ଲୋକଙ୍କ ଆଶା ଓ ବିଶ୍ୱାସ ଜିତିବା ଲାଗି ଏବେ ସବୁ ରାଜନୈତିକ ଦଳ ଆରମ୍ଭ କଲେଣି କସରତ । ନିକଟରେ ଜଣେ ନେତା ଏକ ଗରିବ କୁଡିଆରେ ପହଞ୍ଚି ନିଜେ ଖାଇବା ସହ ପରିବାର ଲୋକଙ୍କୁ ଖୁଆଇ ଦେଉଥିବାର ଫଟୋ ଭାଇରାଲ କରିଛନ୍ତି । ସେହିପରି ଗାଁ ଦଣ୍ଡାରେ ବୟସ୍କ ଲୋକଙ୍କ ଗୋଡ ତଳେ ପଡି ମୁଣ୍ଡିଆ ମାରିବା ଦୃଶ୍ୟ ତ’ ରାଜନୀତି ପାଣିପାଗକୁ ଆହୁରି ଗରମ କରି ଦେଇଛି । କେବଳ ଏହି ନେତା କାହିଁକି ଆଉ ଜଣେ ନେତା ମଧ୍ୟ ଜଣେ ବୟସ୍କ ଲୋକଙ୍କ ଆଖି ଲୁହ ଦେଖି ଯେମିତି କାନ୍ଦି ପକାଇଲେ ତାହା ତ’ ଆହୁରି ଚିନ୍ତାର ବିଷୟ । ଦିନେ କାଳେ ପାଦ ପକାଇନଥିବା ଏହି ନେତା ଯେ, ବୟସ୍କ ଲୋକଙ୍କ ପାଇଁ ନୁହେଁ କେବଳ ଭୋଟ ଲୋଭରେ କୁମ୍ଭିର କାନ୍ଦଣା କାନ୍ଦିଥିଲେ ତାହା କାହାକୁ ଅଛପା ନାହିଁ । ସେହିପରି ଦିନେ ଅଧେ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ ଫୁଟାଣି ମାରି ଭୁବନେଶ୍ୱର ପଳାଇ ଆସୁଥିବା ଜଣେ ମହିଳା ନେତ୍ରୀଙ୍କ କଥା ତ’ ନକହିଲେ ଭଲ । ଏବେ ହରଦମ ଯାଇ ନିଜ ପ୍ରଚାର ପ୍ରସାର କରିବା ଓ ଭୋଟ ପାଇଁ ପୁଣି ବହେ ମିଛ ପ୍ରତିଶୃତି ଦେବା ଘଟଣାକୁ ଆଉ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ ।
ପୂରା ଘଟଣାକୁ ଗୁରୁତର ସହ ଦେଖିଲେ ଏକଥା ସ୍ପଷ୍ଟ ଯେ, ନିର୍ବାଚନ ଆସିଲେ ଏମାନଙ୍କ ନିଦ ଭାଙ୍ଗେ । ଲୋକଙ୍କ କଥା ମନେ ପଡେ । କ୍ଷମତା ଲୋଭରେ ଏମାନେ କେତେବେଳେ କାହାର ଗୋଡ ଧରନ୍ତି ତ’ ଆଉ କେତେବେଳେ କାହାର ତଣ୍ଟି । ତେଣୁ ସମୟ ଆସିଛି ପରିବର୍ତ୍ତନର । ଏଟିଆର ନ୍ୟୁଜ୍ ପକ୍ଷରୁ ଏତିକି ଅନୁରୋଧ ନିଜ ଭୋଟ ନୋଟ ଲାଗି ନୁହେଁ ବରଂ ନୂତନ ସମାଜ ଗଢ଼ିବା ଲାଗି ଦାନ କରନ୍ତୁ । ବ୍ୟୁରୋ ରିପୋର୍ଟ ଏଟିଆର ନ୍ୟୁଜ୍ ।