କଟକ (ଏଟିଆର ବ୍ୟୁରୋ); ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିକୁ ଲାଗିଛି ଶକ୍ତ ଝଟକା । ବିଜେଡି ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ଯାହାକି ଦଳର ଚିନ୍ତା ବଢ଼ାଇ ଦେଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଭୋଟରଙ୍କୁ ପ୍ରଲୋଭନ ଦେଖାଇଥିବା ଅଭିଯୋଗରେ ସାଲେପୁର ଥାନାରେ ଏତଲା ଦେଇଛନ୍ତି କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ । ଅଭିଯୋଗ ଆଧାରରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶିଘ୍ର ଗିରଫ କରାଯାଉ ବୋଲି ଏତଲା ଦିଆଯାଇଛି । ତେବେ ପୋଲିସ ଏତଲା ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ବୁଧବାର ସାଲେପୁର ଅନ୍ତର୍ଗତ ମାଳଗାଁରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଯୋଗ ଦେଇଥିବା ମନ୍ତ୍ରୀ ପ୍ରତାପ ଭୋଟରଙ୍କୁ ଅଫର କରିଥିଲେ କି ସାଲେପୁର ନିର୍ବାଚନ ମଣ୍ଡଳୀର ଯେଉଁ ପଞ୍ଚାୟତ ବିଜେଡି ପ୍ରାର୍ଥୀ ପ୍ରସାନ୍ତ ବେହେରାଙ୍କୁ ଅଧିକ ଭୋଟ ଦେବ ସେହି ପଞ୍ଚାୟତକୁ ୩୫ ଲକ୍ଷ ଏବଂ ବୁଥକୁ ୧୫ ଲକ୍ଷ ଟଙ୍କା ବିଧାୟକ ପାଣ୍ଠିରୁ ପ୍ରଦାନ କରାଯିବ । ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ମନ୍ତ୍ରୀ ଏଭଳି ଭୋଟରଙ୍କୁ ପ୍ରଲୋଭନ ଦେଖାଇବା ନିର୍ବାଚନ ଆଚରଣ ବିଧିକୁ ଉଲଙ୍ଘନ କରିଛି । ଏଣୁ ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ଦଳୀୟ ଟିକେଟ କାହାକୁ ଦିଅଯିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ମନ୍ତ୍ରୀ ନିଜ ଇଛାରେ ପ୍ରାର୍ଥୀ ଘୋଷଣା କରି ଭୋଟରଙ୍କୁ ପ୍ରଲୋଭନ କରିବାରେ ବ୍ୟସ୍ତ । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ପୂର୍ବରୁ ହେଉଥିବା ଚର୍ଚ୍ଚା ସତ । କାରଣ ବିଜେଡିରେ କେତେକ ମୁଷ୍ଟିମେୟ ନେତାଙ୍କ ଦ୍ୱାରା ପରିଚାଳିତ ହେଉଛି । ଏଣୁ ସେମାନେ ଜାଣିଛନ୍ତି କିଏ କେଉଁଠି ଟିକେଟ ପାଇବ । ସେପଟେ ନିର୍ବାଚନ ସମୟ ଘନେଇ ଆସୁଥିବା ବେଳେ ମନ୍ତ୍ରୀଙ୍କ ନାମରେ ଏତଲା ଦଳକୁ ଅଡୁଆରେ ପକାଇବା ସହିତ ଆଗାମୀ ନିର୍ବାଚନରେ ପ୍ରଭାବିତ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।