ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦୀର୍ଘ ୧୭ ବର୍ଷ ପରେ ନବୀନ ନିବାସରେ ପାଦ ପକାଇଲେ ରାଜ୍ୟ ରାଜନୀତିର ବରିଷ୍ଟ ନେତା ଦିଲୀପ ରାୟ । ବିଜେପି ଛାଡିବା ପରେ ଯେଉଁ କଳ୍ପନା କରାଯାଉଥିଲା ତାହା ଶନିବାର ସଂଦ୍ଧ୍ୟାରେ ପ୍ରତିଫଳିତ ହୋଇଥିଲା । ଶେଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ବିଜେଡି ସହ ଡିଲ୍ କଲେ ଦିଲୀପ । ରବିବାର ଶଙ୍ଖ ଫୁଙ୍କି ପାରନ୍ତି ଦିଲୀପ । ନବୀନଙ୍କ ସହ ପାଖା ପାଖି ୧୦ ମିନିଟ ଆଲୋଚନା କରିଥିଲେ ଦିଲୀପ । ତେବେ ଦିଲୀପଙ୍କ ଭଳି ଭେଟେରିଆନ ନେତା ଦଳକୁ ଫେରିବା ବିଜେଡି ପାଇଁ ଶୁଭଦାୟକ ।
ମିଳିଥିବା ସୂଚନା ମୁତାବକ ଗତକାଲି ସଂନ୍ଧ୍ୟା ୭ଟା ୨୦ମିନିଟରେ ନବୀନ ନିବାସରେ ପହଁଞ୍ଚିଥିଲେ ଦିଲୀପ । ବିଜେଡି ସୁପ୍ରିମୋଙ୍କ ସହ ୧୦ ମିନିଟ କଥା ହେବା ପରେ ବିଜେଡିର ହର୍ତ୍ତାକର୍ତ୍ତା ଦଇବ ବିଧାତା କୁହାଯାଉଥିବା ନବୀନଙ୍କ ବ୍ୟକ୍ତିଗତ ସେକ୍ରେଟେରୀଙ୍କ ସହିତ ଆଲୋଚନା କରିଥିଲେ ଦିଲୀପ । ତେବେ ବିଜେପି ଛାଡିବା ପରେ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଦିଲୀପଙ୍କୁ ବିଜେଡି ପକ୍ଷରୁ ଗ୍ରୀନସିଗନାଲ ମିଳିନଥିଲା । ଶେଷରେ ସେ ବାଧ୍ୟ ହୋଇ ନବୀନ ନିବାସରେ ପହଁଞ୍ଚିଥିଲେ । ବିଜେଡିରେ ଯୋଗ ଦେବାପରେ ସେ ସୁନ୍ଦରଗଡ ଜିଲ୍ଲା ଟିକେଟ ଦାୟିତ୍ୱ ତୁଲାଇବେ ବୋଲି ଶୁଣିବାକୁ ମିଳିଛି । ବିଜେଡିରେ ସେ ପାୱାର କରିଡରରେ ରହିବେ ।
୨୦୦୨ ମସିହାରେ ଦଳ ବିରୋଧୀ ମନ୍ତବ୍ୟ ପାଇଁ ବିଜେଡିରୁ ବିଦା ହୋଇଥିଲେ ଦିଲୀପ । ବିଜୁବାବୁଙ୍କ ଅମଳରୁ ଜନତା ଦଳରେ ଜଣେ ସକ୍ରୀୟ କର୍ମୀ ଭାବରେ ଓଡିଶାବାସୀଙ୍କ ଆଗରେ ବେଶ ପରିଚିତ । ତେବେ ବିଜୁ ଜନତା ଦଳ ଗଠନ କରିବାରେ ଦିଲୀପଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବିଜୁ ଅନୁଗତଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ସେମାନଙ୍କ ମଧ୍ୟରେ ଦିଲୀପ ଅନ୍ୟତମ । ବିଜେଡିରୁ ତଡା ଖାଇବା ପରେ ବିଜେପିରେ ଯୋଗ ଦେଇଥିଲେ । ତେବେ ବିଜେପି ସହ ଦିଲୀପଙ୍କ ସମ୍ପର୍କ ସେତେ ଭଲ ରହିନଥିଲା । ଶେଷରେ ସେ ବାଧ୍ୟ ହୋଇ ଦଳ ଛାଡିଥିଲେ । ଏବଂ ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟିଥିଲେ ।