ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ପ୍ରାର୍ଥୀପତ୍ର ନାମାଙ୍କନ କରିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଚଳିତ ନିର୍ବାଚନରେ ସେ ଦୁଇଟି ଆସନରୁ ଲଢ଼ଉଛନ୍ତି । ଆଜି ଘସିପୁରା ଆସନ ପାଇଁ ନାମାଙ୍କନ କରିବେ । ଅପରପକ୍ଷରେ ଭଣ୍ଡାରୀପୋଖରୀ ଆସନରୁ ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ନିରଞ୍ଜନ । ଆସନ୍ତା ୮ ତାରିଖରେ ଭଣ୍ଡାରୀପୋଖରୀ ଆସନ ପାଇଁ ପ୍ରାର୍ଥୀପତ୍ର ନାମାଙ୍କନ କରିବେ ବୋଲି ଶୁଣିବାକୁ ମିଳିଛି ।
ପରିବର୍ତ୍ତନର ନାରା ଦେଇ ପିସିସି ମଙ୍ଗ ସମ୍ଭାଳିବା ପାଇଁ ବାହାରିଛନ୍ତି ନିରଞ୍ଜନ । ଚଳିତ ନିର୍ବାଚନରେ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବା ସହିତ ବିପୁଳ ପରିମାଣରେ ବିଜୟ ହୋଇ ସରକାର ଗଢ଼ିବା ଲକ୍ଷ୍ୟରେ ପିସିସି ସଭାପତି । ଆଜି ହଜାର ହଜାର ସମର୍ଥକ ନାମାଙ୍କନ ବେଳେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି । ଯାହାକି ଦଳକୁ ଚଳିତ ନିର୍ବାଚନରେ ସଫଳତା ଦେବ ବୋଲି ଆଶା କରୁଛି କଂଗ୍ରେସ । କଂଗ୍ରେସ ଭଳି ରାଷ୍ଟ୍ରୀୟ ଦଳର ମଙ୍ଗ ନିରଞ୍ଜନ ସମ୍ଭାଳିବା ପରେ ବହୁ ନେତା ଦଳଛାଡି ପଳାଇଛନ୍ତି । କିନ୍ତୁ ଆଗାମି ଦିନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦୃଢ଼ୋକ୍ତି ପ୍ରଦାନ କରିଛନ୍ତି ।
ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ଏଣୁ ନିରଞ୍ଜନ ଦୁଇଟି ଆସନରୁ ଲଢ଼ିବା ପାଇଁ ଘୋଷଣା କରିବା ପରେ ନିର୍ବାଚନୀ ମଇଦାନ ସରଗରମ ହେବାରେ ଲାଗିଛି । ତେବେ ବିଜେପି ଏବଂ ବିଜେଡି ଆଗରେ କଂଗ୍ରେସ କିଭଳି ପ୍ରଦର୍ଶନ କରିବ ତାଉପରେ ସମସ୍ତଙ୍କ ନଜର । ନିକଟରେ ଆଶା କରିନଥିବା ତିନୋଟି ରାଜ୍ୟ କଂଗ୍ରେସ ସରକାର ଗଢ଼ିଥିବାରୁ ଓଡିଶା ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ ବୋଲି ଚର୍ଚ୍ଚା ହେଉଛି । ଅପରପକ୍ଷରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ନିୟମିତ ଭାବରେ ଓଡିଶା ଗସ୍ତରେ ଆସୁଛନ୍ତି ।