ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଗାଁକୁ ରାସ୍ତା ନାହିଁ , ନଳକୂପରେ ପାଣି ନାହିଁ। ଗରିବଟିଏ ପାଇ ପାରୁନି ସ୍ୱାସ୍ଥ୍ୟ ସେବା । ତଳକୁ ତଳକୁ ଯାଉଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା । ଚାଷୀ ଋଣବୋଝ ପାଇଁ ଆତ୍ମହତ୍ୟା କରୁଛି । କିନ୍ତୁ ଏଭଳି କ୍ଷେତ୍ରରେ ହକି ୱାର୍ଲ୍ଡକପ ପାଇଁ ବ୍ୟୟବହୁଳ ବଜେଟ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ରାଜଧାନୀରେ ଉଡୁଛି କୋଟି କୋଟି ଟଙ୍କା । ସହରର ସୌନ୍ଦର୍ଯ୍ୟ ବୃଦ୍ଧି କ୍ଷେତ୍ରରେ ରାଜ୍ୟସରକାର ଖର୍ଚ୍ଚ କରୁଛନ୍ତି ଲକ୍ଷଲକ୍ଷ ଟଙ୍କା । ହକି ବିଶ୍ୱକପ ପାଇଁ କଳିଙ୍ଗ ଷ୍ଟାଡିୟମ ସମେତ ପୁରା ଭୁବନେଶ୍ୱରର ନବକଳେବର କରାଯାଉଥିବା ବେଳେ କେବଳ ଉଦଘାଟନୀ ଉତ୍ସବ ପାଇଁ ରାଜ୍ୟ ସରକାର ଦେଖାଇଛନ୍ତି ଅହେତୁକ ଉତ୍ସାହ । ସାଧାରଣତଃ କୌଣସି ଇଭେଣ୍ଟର ଉଦଘାଟନୀ ଉତ୍ସବ ଦିନେ ବା ଥରେ ହୋଇଥାଏ । କିନ୍ତୁ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଦୁଇ ଦୁଇଥର ଦୁଇଟା ସ୍ଥାନରେ କରାଯିବାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେହି କେହି ଏପରିକି ବିରୋଧୀ ଏହାକୁ ନିର୍ବାଚନ ପ୍ରଚାର ବୋଲି କହିସାରିଲେଣି ।
ଆଗକୁ ଆସୁଥିବା ୨୦୧୯ ନିର୍ବାଚନ ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ନବୀନ ସରକାର ଏପରି ଭବ୍ୟ ଆୟୋଜନ କରାଇ ଭୋଟ ବ୍ୟାଙ୍କ ରାଜନୀତି କରୁଥିବା ଲୋକେ ଓ ଉଭୟ ବିରୋଧୀ ଅଭିଯୋଗ କରୁଛନ୍ତି । ବିଶେଷ କରି କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଦ୍ୱିତୀୟ ଉଦଘାଟନୀ ଉତ୍ସବକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଟକରେ ବଲିଉଡର ଭାଇଜାନ ସଲମାନ ଖାନ ଯୋଗ ଦେଇଥିବାକୁ ନେଇ ଲୋକେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ , କଟକରେ ସଲମାନ ଖାନ ମାତ୍ର ୫ ମିନିଟ ପାଇଁ ମଞ୍ଚ ଉପରୁ ସାଧାରଣ ଲୋକଙ୍କ ନଜରକୁ ଆସିଥିଲେ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେହି ୫ ମିନିଟ ସମୟ ପାଇଁ ସଲମାନଙ୍କୁ ରାଜ୍ୟ ସାରକାରଙ୍କ ତରଫରୁ ୧ କୋଟି ୮୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଯାହାର ପ୍ରମାଣ ସ୍ୱରୁପ ଏକ ବ୍ୟାଙ୍କ ଚେକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଲମାନଙ୍କ ପାଇଁ ଏକ କୋଟି ଅଣାଲବେ ଲକ୍ଷ ଟଙ୍କା ଉଲ୍ଲେଖ କରାଯାଇଛି । ତେବେ ଏଠାରେ ପ୍ରଶ୍ନଉଠେ ସଲମାନଙ୍କ ୫ ମିନିଟ ପାଇଁ ରାଜ୍ୟସରକାର ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ କଲେ କିନ୍ତୁୁ ରାଜ୍ୟର ଅନେକ ଗରିବ , ଦଳିତ ତଥା ଅସହାୟ ଲୋକଙ୍କ ପାଇଁ ଟିକେ ବି ଦରଦ ନଥିବାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ଲୋକେ । ଏନେଇ ସୋସିଆଲ ମିଡିଆ ମଧ୍ୟମରେ ରାଜ୍ୟସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘୋର ସମାଲୋଚନା କରିଛନ୍ତି ଲୋକେ ।
କିନ୍ତୁ ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ କି ରାଜ୍ୟସରକାରଙ୍କ ତରଫରୁ ଚାଷୀଙ୍କୁ କ୍ଷତିପୂରଣ ବା ପୋତ୍ସାହନ ରାଶି ବାବଦକୁ ଦିଆଯାଉଥିବା ଚେକ ବାଉନ୍ସ ହୋଇପାରୁଛି କିନ୍ତୁ ସଲମାନଙ୍କୁ ଦିଆଯାଉଥିବା ଚେକ ଉପରେ କୌଣସି କମ୍ପରମାଇଜ କରୁନାହାନ୍ତି ରାଜ୍ୟ ସରକାର । ଯାହାକୁ ନେଇ ସୋସିଆଲ ମିଡିଆ ଓ କେତେକ ଗଣମାଧ୍ୟମରେ ସମାଲୋଚନା କରାଯାଇଛି ।
ଅନ୍ୟପଟେ ହକି ବିଶ୍ୱକପର ପ୍ରଥମ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ବଲିଉଡର କିଙ୍ଗଖାନ ଶାହାରୁଖ ଖାନ ଓ ଧକ ଧକ ଗାର୍ଲ ମାଧୁରୀ ଦିକ୍ଷୀତ । ସେମାନଙ୍କୁ ଦିଆଯାଇଥିବା ଅର୍ଥକୁ ନେଇ ମଧ୍ୟ ସମାଲୋଚନା ଆରମ୍ଭ ହୋଇଗଲାଣି । ଯଦି ସଲମାନ ଖାନ ମଞ୍ଚ ଉପରେ ୫ ମିନିଟ ରହି ପାଖାପାଖି ୨ କୋଟି ଟଙ୍କା ନେଇପାରୁଛନ୍ତି ତେବେ ମାଧୁରୀ ଓ କିଙ୍ଗଖାନ ତ ଉଦଘାଟନୀ ଉତ୍ସବ ଆରମ୍ଭରୁ ଶେଷ ଯାଏ କଳିଙ୍ଗ ଷ୍ଟାଡିୟମରେ ମହଜୁଦ ଥିଲେ । ପ୍ରସିଦ୍ଧ ସଂଗୀତଜ୍ଞ ଏଆର ରହେମାନ ତ ଦୁଇଦିନ ଧରି କଟକ ଓ ଭୁବନେଶ୍ୱରରେ କାର୍ଯ୍ୟକ୍ରମ କରିଛନ୍ତି । ତେବେ ସେମାନଙ୍କର ପାରିଶ୍ରମିକର ଅନ୍ଦାଜ ଲଗେଇବା ମଧ୍ୟ ଗୋଟିଏ ସାଧାରଣ ଲୋକ ପକ୍ଷେ ମୁସକିଲ ହୋଇପଡିବ ।
ସେପଟେ କାଲିର ଉଦଘାଟନୀ ଉତ୍ସବରେ ହକି ଶବ୍ଦର ପ୍ରୟୋଗ ବହୁ କମବାର କରାଯାଇଛି । ସମ୍ପୁର୍ଣ୍ଣ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର କଳାକାର ମାନଙ୍କୁ ନେଇ କାର୍ଯ୍ୟକ୍ରମ ଆଗକୁ ଜାରି ରଖାଯାଇଥିଲା । ବାରବାଟୀର ଉଦଘାଟନୀରେ ହକି ବିଶ୍ୱକପ ପାଇଁ ପ୍ରସ୍ତୁତ ସଂଗୀତକୁ ମଧ୍ୟ ଥରେ ହେଲେ ବି ଶୁଣିବାକୁ ମିଳିଲା ନାହିଁ । ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ତଥା ସାଂସଦ ଦିଲୀପ ତିର୍କୀଙ୍କୁ ମଧ୍ୟ କାଲିର କାର୍ଯକ୍ରମରେ ଦେଖିବାକୁ ମିଳିଲା ନାହିଁ । ଏହାସହ ଓଡିଶାର ପ୍ରମୁଖ ହକି ଖେଳାଳୀଙ୍କୁ ମଧ୍ୟ ବାରବାଟୀ ଷ୍ଟାଡିୟମକୁ ନିମନ୍ତ୍ରଣ କରା୍ଯାଇନଥିଲା । ସିଧା ସିଧା କହିବାକୁ ଗଲେ ହକିର ମଞ୍ଚକୁ ରାଜ୍ୟସରକାର ଫିଲ୍ମର ମଞ୍ଚ କରି ଗଢିତୋଳିଲେ ।
ସେ ଯାହା ବି ହେଉ ହକି ବିଶ୍ୱକପ ଓଡିଶାରେ ଆୟୋଜନ ହେଉଥିବାରୁ ସମସ୍ତ ଓଡିଶା ବାସୀ ଖୁସିବ୍ୟକ୍ତ କରିଛନ୍ତି । ଏହା ଓଡିଶା ପାଇଁ ଗର୍ବର ବିଷୟ ମଧ୍ୟ । ରାଜ୍ୟ ସରକାର ଏପରି ଏକ କାର୍ଯ୍ୟଭାରକୁ ସମ୍ପାଦନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିବା ବେଳେ ଏହାକୁ ନେଇ ସରକାର ରାଜନୈତିକ ଫାଇଦା ହାସଲ ଲକ୍ଷ୍ୟ ନ ରଖିବା ନେଇ ବୋଲି ଆଶା ରଖାଯାଇଛି । ହକି ବିଶ୍ୱକପ ପାଇଁ ଲୋକଙ୍କ ମନୋରଞ୍ଜନ ନିମନ୍ତେ ସଲମାନ ଓ ଶାହାରୁଖ ତଥା ମାଧୁରୀ ଓ ଏଆର ରହେମାନଙ୍କୁ ରାଜ୍ୟ ସରକାର ଡକାଇଥିଲେ । କିନ୍ତୁ ଏମାନଙ୍କୁ ନେଇ ଶାସକ ଦଳ ଭୋଟ ବ୍ୟାଙ୍କ ରାଜନୀତି ନକରୁ ବୋଲି ବିରୋଧୀ ତଥା ସମାଲୋଚକ ମନବ୍ୟକ୍ତ କରିଛନ୍ତି ।