ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମୋଦୀଙ୍କ ଦ୍ୱିତୀୟ ପାଳି ସରକାର ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରତାପଙ୍କ ଚାରି ପାଞ୍ଚଟି ଫଟୋ ଏବେ ମୋବାଇଲରୁ ମୋବାଇଲ ଛାଇ ଯାଇଛି । ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ସାଧାରଣ ଜୀବନ ଯାପନକୁ ନେଇ ଏବେ ପ୍ରତାପ ସାରା ଦେଶରେ ହିରୋ ପାଲଟି ଯାଇଛନ୍ତି ।
ନୀଳଗିରିରୁ ନୂଆଦିଲ୍ଲୀ ଯାତ୍ରା କରିବା ପଛରେ ପ୍ରତାପଙ୍କ ଲୁଚି ରହିଛି ବଡ ରହସ୍ୟ । ପିଲାଟି ଦିନରୁ ଲୋକଙ୍କ ସେବା କରିବାର ମନବୃତି ନେଇ ବାହାରିଥିଲେ ପ୍ରତାପ । ତେବେ ଏକଦା ସେ ସନ୍ଥ ହେବା ପାଇଁ ଘର ଛାଡି ଦୁଇ ଦୁଇଥର କୋଲକାତା ମଧ୍ୟ ପଳାଇଥିଲେ । କିନ୍ତୁ ତାଙ୍କ ମା ବଞ୍ଚିଥିବାରୁ ତାଙ୍କୁ ସନ୍ଥ କରାଯାଇନଥିଲା । ତେବେ ଆଜି ପର୍ଯ୍ୟନ୍ତ ପ୍ରତାପ ସନ୍ଥଙ୍କ ଭଳି ଜୀବନ ଯାପନ କରୁଥିବାର ନଜର ଆସୁଛନ୍ତି । ସାଧୁବାବାଙ୍କ ଭଳି ଦାଢ଼ୀ ବଢ଼ାଇବା ସହ ନିସ୍ୱାର୍ଥପର ଭାବ ତାଙ୍କ ମନରେ ରହିଛି । ଆରଏସଏସ ସଂଗଠନ ରହି ଲୋକଙ୍କ କାମ କରି ସମସ୍ତଙ୍କ ମନ ଜିଣିଥିଲେ ପ୍ରତାପ ।
ଦୁଇ ଦୁଇଥର ନୀଳଗିରିରୁ ବିଧାୟକ ହୋଇଥିଲେ ସୁଦ୍ଧା ସେ ମାଟିଘରେ ରହୁଛନ୍ତି । ବ୍ରାହ୍ମଣଙ୍କ ନିତିକାନ୍ତି ମଧ୍ୟ ପ୍ରତାପ କରୁଛନ୍ତି । ସକାଳୁ ଉଠି ନିମ୍ବ ଦାନ୍ତକାଠିରେ ଧରି ନଳକୂପରେ ଗାଧୋଇବା ଫଟୋ ମଧ୍ୟ ଭାଇରାଲ ହେଉଛି । ତେବେ ସୋସିଆଲ ମିଡିଆ ରାଜନୀତି କରଣକୁ ନେଇ ପ୍ରତାପଙ୍କୁ ମଧ୍ୟ ବହୁ ଲୋକ ସମାଲୋଚନା କରୁଥିବା ନଜର ଆସୁଛି । କିନ୍ତୁ ଯେଉଁମାନେ ଏଭଳି ପ୍ରତାପଙ୍କ ବିରୋଧରେ ଲେଖିଛନ୍ତି ସେମାନଙ୍କୁ କମେଣ୍ଟରେ କଡା ସମାଲୋଚନା ମଧ୍ୟ କରିଥିବା ଦେଖିବାକୁ ମିଳିଛି ।