ବ୍ରହ୍ମପୁର (ଏଟିଆର ବ୍ୟୁରୋ); ଆଜି ସରିବ ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର । ଗଞ୍ଜାମ ଜିଲ୍ଳା ଦିଗପହଣ୍ଡୀ ଆସନ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ । ଏଣୁ ତିନି ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରଚାରକୁ ଜୋରସୋର ଆରମ୍ଭ କରିଛନ୍ତି । ଏଠାରେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ପିଙ୍କି ପ୍ରଧାନଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ଅପରପକ୍ଷରେ କଂଗ୍ରେସ ପ୍ରଫୁଲ୍ଲ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଏହି ତିନି ହେବିୱେଟ ମଧ୍ୟରେ ହେବ କଡା ଟକ୍କର । ଆଉ ହାତରେ ମାତ୍ର ଅଳ୍ପ ସମୟଥିବାରୁ ନିର୍ବାଚନ ମଣ୍ଡଳୀର ସବୁ ଜନତାଙ୍କ ପାଖରେ ପହଁଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ ।
କେନ୍ଦ୍ର ସରକାରଙ୍କ ବିଫଳତା ଏବଂ ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ ଯୋଜନାକୁ ମୁଖ୍ୟ ଅସ୍ତ୍ର କରି ଜନତାଙ୍କ ପାଖରେ ପହଁଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି ସୂର୍ଯ୍ୟ ପାତ୍ର । ଯୁବ ଭୋଟରଙ୍କ ମନ ମୋହିବା ପାଇଁ ବିଜେପି ପିଙ୍କିଙ୍କୁ ପ୍ରାର୍ଥୀ କରିଛି । ନବୀନ ସରକାରଙ୍କ ସମୟରେ ହୋଇଥିବା ଅନ୍ୟାୟ ଏବଂ ନାରୀ ନିର୍ଯ୍ୟାତନା କଥା କହି ଭୋଟରଙ୍କ ମନମୋହିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ପିଙ୍କି । ଅପରପକ୍ଷରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଗୋହି ଖୋଳି ଭୋଟରଙ୍କ ପାଖରେ ପହଁଞ୍ଚବି ପାଇଁ ଚେଷ୍ଟା କରୁଛନ୍ତି କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ।
ଲଗାତାର ଅପ୍ରତିଦ୍ୱନ୍ଦି ଭାବରେ ଦିଗପହଣ୍ଡି ଆସନରୁ ବିଜୟ ହେବା ସହିତ କ୍ୟାବିନେଟ ମିନିଷ୍ଟର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ହୋଇଛନ୍ତି ସୂର୍ଯ୍ୟ ପାତ୍ର । କିନ୍ତୁ ନିର୍ବାଚନ ମଣ୍ଡଳୀରେ ପାଣିର ଘୋର ସମସ୍ୟା ଥିଲେ ସୁଦ୍ଧା ସେ କେବେ ଏହାର ବିଚାର କରି ନାହାଁନ୍ତି । କିନ୍ତୁ ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଆଗାମି ଦିନରେ ସବୁଠିକ ହୋଇଯିବ ବୋଲି ପ୍ରତିଶୃତି ଦେଉଥିବା ଅଭିଯୋଗ କରୁଛନ୍ତି ବିରୋଧୀ । ତେବେ ବିଜେପି ଏବଂ କଂଗ୍ରେସ ଚଳିତ ନିର୍ବାଚନରେ ସୂର୍ଯ୍ୟଙ୍କ ଗଡ ଭାଙ୍ଗିବା ଲକ୍ଷ୍ୟରେ ରହିଥିବାରୁ ଏଠାରେ ଲଢ଼େଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ତେବେ ଜନତା କାହା ଉପରେ ଭରଷା କରି ଭୋଟ ଦେଉଛନ୍ତି ତାହା ମେ ୨୩ରେ ଜଣା ପଡିଯିବ ।