ଜଗତସିଂହପୁର ( ଏଟିଆର ବ୍ୟୁରୋ): ଦିନଥିଲା ବରିଷ୍ଠ ନେତା ଦାମ ରାଉତ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଉଥିଲେ । ଜଗତସିଂହପୁରରୁ ସବୁବେଳେ ଦାମ ମନ୍ତ୍ରୀ ହେଉଥିଲେ । ଏଥର କିନ୍ତୁ ନିଜ ତୁଣ୍ଡ ପାଇଁ ବିଜେଡି ଛାଡି ବିଜେପିରେ ମିଶିଥିବା ଦାମ ରାଉତଙ୍କୁ ଏଥର ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ବିଜେପିରୁ ଆସି ବିଜେଡିରେ ଯୋଗଦଇ ଥିବା ରଘୁନନ୍ଦନ ଦାସଙ୍କ ଠାରୁ ଦାମ ପରାଜୟ ହୋଇଥିଲେ । ତେବେ ସବୁଠାରୁ ବଡ କଥା ଜିଲ୍ଲାରୁ ଏଥର ମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
ଜିଲ୍ଲାର ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ନେଇ ତାଙ୍କୁ ମନ୍ତ୍ରୀ ପଦ ନମିଳିବା ଆଶଙ୍କା କରାଯାଉଥିଲା । ସେହିଭଳି ପାରାଦୀପ ବିଧାନସଭା ଆସନରୁ ବିଜୟ ହୋଇଥିବା ଦାମଙ୍କ ପୁଅ ସମ୍ବିତଙ୍କୁ ନବାଗତ ହୋଇଥିବାରୁ ନବୀନ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିିଲ କରିବା ନେଇ ସନ୍ଦେହ ସୃଷ୍ଟି ହେଉଥିଲା । ଅପରପକ୍ଷେ ଦୁଇଥର ବାଲିକୁଦା ଏରସମା ବିଧାନସଭା ଆସନରୁ ଏବଂ ଏଥର ଜଗତସିଂହପୁର ବିଧାନସଭା ଆସନରୁ ବିଜୟ ହୋଇିଥିବା ପ୍ରଶାନ୍ତ ମୁଦୁଲିଙ୍କ ନାମ ମଧ୍ୟ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ରହିଥିଲା । ମାତ୍ର ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ନବୀନ ।
ହେବିୱେଟ ନେତା ଦାମଙ୍କୁ ହରାଇଥିବା ରଘୁନନ୍ଦନ ଦାସଙ୍କୁ ନବୀନ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି । ରଘୁନନ୍ଦନଙ୍କୁ ଏଥର ଜଳସଂପଦ ଓ ସୂଚନା ଓ ଲୋକ ସଂପର୍କ ବିଭାଗର ଦାୟିତ୍ୱ ଦେଇଛନ୍ତିି । ତେବେ ରଘୁଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ନେଇ ସାଧାରଣରେ ଶୁଣିବାକୁ ମିଳୁଛି ରଘୁ ଜଗତସିଂହପୁରରେ ଦାମଙ୍କ ଶୂନ୍ୟସ୍ଥାନ ପୂରଣ କରିଛନ୍ତି । ରଘୁଙ୍କୁ ଏହା ପୁରସ୍କାର ସୂରୂପ ହେଉ ଅବା ବରିଷ୍ଠତା ଦୃଷ୍ଟିରୁ ହେଉ ରଘୁନନ୍ଦନଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ଏହା ଜଗତସିଂହପୁର ବାସୀଙ୍କ ପାଇଁ ଶୁଭଙ୍କର ବୋଲି ଆଲୋଚନା ଜୋର ଧରିଛି ।