ଯାଜପୁର(ଏଟିଆର ବ୍ୟୁର): ଯାଜପୁର ଜିଲ୍ଲାରେ ଆଗାମୀ ୨୯ ତାରିଖରେ ମତଦାନ ପଡୁଥିବାରୁ ଜିଲ୍ଲାରେ ନିର୍ବାଚନୀ ପ୍ରଚାର ଆରମ୍ବ ହୋଇଯାଇଛି । ନାମାଙ୍କନ ୯ ତାରିଖ ଯାଏ ଚାଲିବାକୁ ଥିବାବେଳେ ଏଥିଲାଗି ପ୍ରଚାର ଜୋରଦାର ଚାଲିଛି । ଯାଜପୁର ଲୋକସଭା ଆସନ ସହିତ ୭ଟି ଯାକ ବିଧାନସଭା ଆସନ ପାଇଁ ଏଠାରେ ଲଢେଇ ଜୋରଦାର ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଧର୍ମଶାଳାରୁ ପ୍ରଣବ ବଳବନ୍ତ ରାୟ, ବିଂଝାରପୁରରୁ ପ୍ରମିଳା ମଲ୍ଲିକ ଓ ଯାଜପୁରରୁ ପ୍ରଣବ ପ୍ରକାଶ ଦାଶଙ୍କ ପରି ହେବିୱେଟ ନେତା ମୈଦାନରେ ଥିବାରୁ ସମସ୍ତଙ୍କ ନଜର ରହିଛି ଏହି ଜିଲ୍ଲା ଉପରେ । ସେହିଭଳି ଯଦି ବିଂଝାରପୁରକୁ ଦେଖାଯାଏ ପ୍ରମିଳା ମଲ୍ଲିକଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ଏଠାରେ ମନୋରଂଜନ ଦାସଙ୍କୁ ପ୍ରାର୍ଥୀ କରିଛି ।
ଗତ ନିର୍ବାଚନରେ ବିଜେଡି ଏଠାରେ ସବୁ ଆସନକୁ ହାତେଇ ଥିଲା । ଯାହା ଫଳରେ ବିଜେଡି ପ୍ରାର୍ଥୀମାନେ ସରକାରଙ୍କ ବିକାଶକୁ ନେଇ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ବିଫଳତାକୁ ମୁଖ୍ୟ ଅସ୍ତ୍ର କରିଛନ୍ତି । ସେହିପରି ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଢାଲ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଆଶା ରଖିଛି । ଏଠାରେ ସମସ୍ତ ଦଳ ପକ୍ଷରୁ ଟିକେଟ ଘୋଷଣା ସରିଥିବା ବେଳେ ପ୍ରାର୍ଥୀମାନେ ଘରଘର ବୁଲି ଭୋଟରଙ୍କୁ ନିଜ ପ୍ରତି ଆକୃଷ୍ଟ କରୁଛନ୍ତି । ବିଜେଡି ଗଡ ଭାବେ ପରିଚିତ ଏହି ସବୁ ଆସନକୁ ବିଜେଡି ନିଜ ହାତ ମୁଠାରେ ପୁଣି ରଖିବାକୁ ଚାହୁଁଥିବା ବେଳେ ଉଭୟ ବିରୋଧୀ ପରିବର୍ତ୍ତନର ନାରା ଦେଇ ପ୍ରଚାର ଚଳାଇଛନ୍ତି । ଏହି ସବୁ ଭିତରେ କିନ୍ତୁ ଭୋଟର କେଉଁ ଆଡେ ଢଳିବେ ତାହା ଆଗାମୀ ନିର୍ବାଚନୀ ଫଳାଫଳ ବାହାରିବା ପରେ ଜଣାପଡିବ ।