ଜୟପୁର (ଏଟିଆର ବ୍ୟୁରୋ); ଆଉ ଦିନ କେଇଟା ପରେ ହେବ ନିର୍ବାଚନ । ତେବେ କିଏ କେଉଁ ଦଳର ଟିକେଟ ପାଇବେ ତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ସମସ୍ତ ନେତା ନିଜର ଲୋକ ପ୍ରିୟତା ବଜାୟ ରଖିବା ପାଇଁ ଆରମ୍ଭ କରି ଦେଇଛନ୍ତି ଜୋରଦର ପ୍ରୟାସ । ତେବେ କୋରାପୁଟ ଜିଲ୍ଲାର ଜୟପୁର ବିଧାନସଭା ଆସନରେ କିଏ କେଉଁ ଦଳରେ ପ୍ରାର୍ଥୀ ହେବେ ତାକୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ଦଳୀୟ ଟିକେଟ ହାତେଇ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ତିନି ପ୍ରମୂଖ ଦଳର ନେତାମାନେ ଅଣ୍ଟା ଭିଡିଥିବା ଦେଖିବାକୁ ମିଳୁଛି । ତେବେ ଏହି ଆସନରେ ବର୍ତ୍ତମାନ ବିଧାୟକ ଅଛନ୍ତି ତାରା ବାହିନୀପତି । ଯିଏକି ରାଜ୍ୟ ରାଜରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ଏଣୁ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହେବା ପାଇଁ ବିଜେପି ଏବଂ ବିଜେଡି ହେବିୱେଟ ନେତା ଅନୁସନ୍ଧାନରେ ଅଛନ୍ତି ।
ଅବିଭକ୍ତ କୋରାପୁଟ ଜିଲ୍ଳାର ଏହା ହେଉଛି ଏକମାତ୍ର ଅଣ ସରକ୍ଷିତ ଆସନ । ଏଣୁ ଏହି ଆସନ ଉପରେ ରହିଛି ସମସ୍ତଙ୍କ ନଜର । କଂଗ୍ରେସ ପକ୍ଷରୁ ପୁଣିଥରେ ତାରା ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ପକ୍ଷରୁ ମଧ୍ୟ ଆଉ ଦୁଇ ତିନି ଜଣ ପ୍ରାର୍ଥୀଙ୍କ ନାମ ମଧ୍ୟ ଲୋକ ଲୋଚନକୁ ଆସିଛି । ସେପଟେ ବିଜେପି ପକ୍ଷରୁ ଏଠାରେ ଭୃଗୁବକ୍ସି ପାତ୍ର ଟିକେଟ ରେସରେ ଆଗରେ ଥିବା ବେଳେ ଅନୁପ ପାତ୍ର,ଅକ୍ଷୟ ସାହୁ,ଦେବେନ୍ଦ୍ର ବାହିନୀପତି,ବିଜି ରାୟ ଏବଂ ଯୁବ ନେତା ଗୈାତମ ସାମନ୍ତରାୟ ମଧ୍ୟ ଅଛନ୍ତି । ସମସ୍ତ ନେତା ନିଜର ଲୋକ ପ୍ରିୟତା ବଞ୍ଚାଇ ରଖିବା ପାଇଁ ଗାଁ ଗାଁ ବୁଲି ପ୍ରଜାମେଳି ମଧ୍ୟ କରୁଛନ୍ତି । ସେପଟେ ନିକଟରେ କଂଗ୍ରେସରୁ ତଡା ଖାଇଥିବା କୃଷ୍ଣ ସଗରିଆ ଏଠାରେ ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି ।
କଂଗ୍ରେସ ଏବଂ ବିଜେପିରେ ବହୁ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଏଥିରୁ ବାଦ ପଡିନି ବିଜେଡି । ଦଳ ପକ୍ଷରୁ ଏଠାରେ ରବି ନନ୍ଦ ଟିକେଟ ରେସରେ ଆଗରେ ଅଛନ୍ତି । ସେ ୨୦୦୦ ମସିହା ଠାରୁ ୨୦୦୯ ପର୍ଯ୍ୟନ୍ତ ଏଠାରେ ବିଜୟୀ ହୋଇଥିଲେ । ତେବେ ୨୦୧୪ ମସିହାରେ ତାରା ବାହିନୀପତି ତାଙ୍କୁ କଂଗ୍ରେସ ପକ୍ଷରୁ ପରାସ୍ତ କରିଥିଲେ । ବିଜେଡି ପକ୍ଷରୁ ଆଶାୟୀ ପ୍ରାର୍ଥୀମାନେ ହେଲେ ଜିଲ୍ଲା ସଭାପତି ଇଶ୍ୱର ପାଣିଗ୍ରାହୀ,ବରିଷ୍ଠ ନେତା ଗୁପ୍ତ ଦାସ,ମହିଳା ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଏବଂ ବିନ୍ଦୁରାଣୀ ମିଶ୍ର । ତେବେ ସବୁ ଦଳରେ ଏଭଳି ଟିକେଟ ପାଇବା ପାଇଁ ବହୁ ଆଶାୟୀ ପ୍ରାର୍ଥୀ ଅଛନ୍ତି । ଏଣୁ ଏଠାରେ ନିର୍ବାଚନ କଡା ଟକ୍କର ହେବ ବୋଲି ଆଶା କରାଯାଉଛି । ଏବେଠାରୁ ସବୁ ନେତା ଗାଁ ଗାଁ ବୁଲି ପ୍ରଜାମେଳି ଆରମ୍ଭ କରି ଦେଲେଣି । ତେବେ ତାରା ନିର୍ବାଚନ ମଣ୍ଡଳୀର ଯୁବ ଭୋଟରଙ୍କ ଉପରେ ଫୋକସ ରଖିଥିବା ଜଣା ପଡିଛି । ସମୟ କହିବ କିଏ ହେବ ଜୟପୁର ଆସନର ବାଦଶାହା । ଏବେ ବାକି ରହିଲା କିଏ ପାଉଛି କେଉଁ ଦଳରୁ ଟିକେଟ ।