ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟର କୃଷକଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ‘କାଳିଆ’ ଯୋଜନା । ଯେଉଁଥିରେ ବିନା ସୁଧରେ ଚାଷୀଙ୍କୁ ମିଳୁଥିଲା ଟଙ୍କା । ତେବେ ଏହି ଯୋଜନା ଘୋଷଣା ହେବାର ଦିନଠାରୁ ବିରୋଧୀମାନେ ଏହାକୁ ବିରୋଧ କରି ଆସୁଥିଲେ । ସବୁବେଳେ ଏହି ଯୋଜନା ଚର୍ଚ୍ଚାରେ ରହି ଆସୁଥିଲା । କେତେବେଳେ କେଉଁ ହିତାଧିକାରୀଙ୍କ ଖାତାକୁ ବାରବାର ଟଙ୍କା ଆସିଥିଲା ତ ଆଉ କେହି ଯୋଗ୍ୟ ଚାଷୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏଭଳି ବିଭିନ୍ନ ସମସ୍ୟା ଭିତରେ ପ୍ରଥମରୁ ରହି ଆସିଛି ଏହି ଯୋଜନା ।
ରାଜ୍ୟ ସରକାରଙ୍କ ଏହି ଯୋଜନାରେ ବହୁ ଚାଷୀ ଲାଭ ପାଇଛନ୍ତି । ପ୍ରଥମ କିସ୍ତି ଟଙ୍କା ଆସିବା ପରେ ଏହି ଟଙ୍କା ଆସିବା ପାଇଁ ବିଳମ୍ବ ହୋଇଛି । ତେବେ ବାକି ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପୂର୍ବରୁ ସଂଶୋଧନ ହେବ । ଏବଂ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା । ବାକିଥିବା ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଆଉ ଯିବ ନାହିଁ । ଯାହାକୁ ନେଇ ଏବେ ପୁଣିଥରେ ଆରମ୍ଭ ହୋଇଛି ।
କୃଷି ଭବନରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ‘କାଳିଆ’ ଯୋଜନା ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ହିତାଧିକାରୀ ଚୟନ ଦାୟିତ୍ବରେ ଥିବା ଅଧିକାରୀମାନେ ଏ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ସୂତ୍ରକୁ ଆପଣାଇ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଅରୁଣ କୁମାର ନିର୍ଦ୍ଦେଶ ଦେଇଥିଲେ । ସଂଶୋଧିତ ତାଲିକା ପ୍ରକାଶ ପାଇବା ପରେ ଯଦି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୁଏ, ତେବେ ସେଥି ପାଇଁ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ ଚେତାଇ ଦେଇଥିଲେ ।
ଏବେ ଏହି କାଳିଆ ଯୋଜନାରେ ଗୋଳିଆକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ସଂଶୋଧନ ହେବା ପରେ ବହୁ ହିତାଧିକାରୀ ଏଥିରୁ ବାଦ ପଡିବେ । ତେବେ ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ଜାହିର କରିଛନ୍ତି । କାରଣ ପ୍ରଥମ କିସ୍ତିରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଳେଇ ଆସିଛି । ଆଉ ଏବେ ଦ୍ୱିତୀୟ କିସ୍ତି ବେଳକୁ ପାତର ଅନ୍ତର କରାଯାଉଥିବା ଅଭିଯୋଗ ହେଉଛି ।
ମୁଖ୍ୟମନ୍ତ୍ରୀ ନିର୍ବାଚନ ପୂର୍ବରୁ କହିଥିଲେ କି ମୁଁ ଥିବା ଯାଏ କାଳିଆ ଟଙ୍କା କେହି ଅଟକାଇ ପାରିବେ ନାହିଁ । ଏବେ ନାଟକ କରି ଏହି ଟଙ୍କାକୁ ଅଟକାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ନିଜର ପ୍ରତିଶୃତି ଭୁଲିଯାଇଥିବା କଥା ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ସେ ଯାହା ବି ହେଉ ସଂଶୋଧିତ ହେବାର କେତେ ଦିନ ପରେ କାଳିଆ ଦ୍ୱିତୀୟ କିସ୍ତି ଟଙ୍କା ଆସୁଛି ତାକୁ ସମସ୍ତଙ୍କ ଅପେକ୍ଷା ।