କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ଅଭିନେତାରୁ ରାଜନେତା ହୋଇଥିବା ଅନୁଭବ ମହାନ୍ତି । ଚଳିତ ନିର୍ବାଚନରେ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଅନୁଭବଙ୍କୁ ବିଜେଡି ଭରଷା କରି ଟିକେଟ ଦେଇଛି । ଏଣୁ ସେ ସଂସଦୀୟ କ୍ଷେତ୍ରର ଗାଁ ଗାଁ ବୁଲି ଲୋକଙ୍କ ପାଖରେ ପହଁଞ୍ଚିବା ପାଇଁ ଚେଷ୍ଠା କରୁଛନ୍ତି । ଅନୁଭବଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଦୁଇ ଦୁଇ କେନ୍ଦ୍ରାପଡାରୁ ସାଂସଦ ହୋଇଥିବା ବୈଜୟନ୍ତ ପଣ୍ଡା । ଅପରପକ୍ଷରେ କଂଗ୍ରେସର ଟାଣୁଆ ନେତା ଧରଣୀଧର ନାଏକ ପ୍ରାର୍ଥୀ ହୋଇଛନ୍ତି । ତିନିଜଣ ହେବିୱେଟ ନିର୍ବାଚନ ମଇଦାନକୁ ଓହ୍ଲାଉଥିବାରୁ ଏଠାରେ ଲଢ଼େଇ ଜୋରଦାର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
କେନ୍ଦ୍ର ସରକାରଙ୍କ ବିଫଳତା ଏବଂ ରାଜ୍ୟ ସରକାରଙ୍କ ସଫଳତାକୁ ମୁଖ୍ୟ ମୁଦା କରି ଲୋକଙ୍କ ପାଖରେ ପହଁଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି ଅନୁଭବ । ଅପରପକ୍ଷରେ ମହାକାଳପଡାରେ ବୈଜୟନ୍ତଙ୍କ ବିରୋଧରେ ଏକତ୍ରିତ ହୋଇଥିବା ବିଜେପି ପ୍ରାର୍ଥୀଙ୍କୁ ମଧ୍ୟ ହାତେଇବା ପାଇଁ ଅନୁଭବ ଚେଷ୍ଟା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଦୁଇ ଦୁଇ ଥର ସାଂସଦ ହୋଇଥିବାରୁ ବୈଜୟନ୍ତଙ୍କ ନିଜସ୍ୱ ଭୋଟବ୍ୟାଙ୍କ ସଂସଦୀୟ କ୍ଷେତ୍ରରେ ରହିଛି । ତେବେ ସେ ବିଜେଡି ପକ୍ଷରୁ ଦୁଇ ଦୁଇଥର ବିଜୟ ହୋଇଛନ୍ତି । କିନ୍ତୁ ଏଥରକ ବିଜେପି ପକ୍ଷରୁ ଲଢ଼ୁଥିବାରୁ ଲୋକଙ୍କ ମତାମତ କଣ ରହିବ ତାଉପରେ ସମସ୍ତଙ୍କ ନଜର ରହିଛି । ଗତକାଲି ରାଜନଗରରେ ବିଶାଳ ଶୋଭାଯାତ୍ରା କରି ପ୍ରଚାର କରିଛନ୍ତି କେନ୍ଦ୍ରାପଡା ଲୋକସଭା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି । ତାଙ୍କ ସହ ରାଜନଗର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ ।