ନୟାଗଡ (ଏଟିଆର ବ୍ୟୁରୋ); ନୟାଗଡ ଜିଲ୍ଲାର ଖଣ୍ଡପଡା ଆସନ ଉପରେ ରହିଛି ସମସ୍ତଙ୍କ ନଜର । ଏଠାରେ ଦୁଇ ଦୁଇଥର ପରାସ୍ତ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ବିଜେଡି ଟିକେଟରେ ଲଢ଼ିବା ପାଇଁ ଯାଉଛନ୍ତି । ଏଣୁ ଦଳୀୟ ସିମ୍ବଲ ବ୍ୟବହାର କରି ଜିତିବା ଲକ୍ଷ୍ୟରେ ରହିଛନ୍ତି ସୌମ୍ୟ । ତେବେ ଏଥରକ ବିଜୟ ହେବା ଏତେ ସହଜ ହୋଇନପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଦଳୀୟ କର୍ମୀ ହିଁ ତାଙ୍କୁ ହରାଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଏଣୁ ଭିନ୍ନ ମୋଡରେ ରହିଛି ଏହି ନିର୍ବାଚନ ମଣ୍ଡଳୀ । ସୌମ୍ୟ ବିଜେଡିରେ ଯୋଗ ଦେବାପରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଥିଲା । କିନ୍ତୁ ଖଣ୍ଡପଡା ପ୍ରତିଥିବା ମୋହକୁ ଛିଣ୍ଡାଇ ପାରନଥିଲେ ସୌମ୍ୟ ।
ବିଜେଡି ସୌମ୍ୟ ଯୋଗ ଦେବା ପରେ ଦଳରେ ଦିନକୁ ଦିନ ତାଙ୍କର ଦବଦବା ବଢ଼ିବାରେ ଲାଗିଛି । ଏଣୁ ସେ ଖଣ୍ଡପଡା ଆସନ ପାଇଁ ଅଡି ବସିଥିଲେ । ଫଳରେ ବର୍ଷ ବର୍ଷ ଧରି ଦଳରେ ରହିଆସିଥିବା ସକ୍ରୀୟ କର୍ମୀ ରାତି ଅନିଦ୍ରା ହୋଇ ସଂଗଠନ କରିଥିଲେ ସୁଦ୍ଧା ଶେଷ ସମୟରେ ମୁଗୁରା ପଛ ମେଲା ହୋଇ ଯାଇଥିଲା । ଏବଂ ସୌମ୍ୟ ବାଜିମାରି ଟିକେଟ ହାତେଇଥିଲେ । ତେବେ ଖଣ୍ଡପଡାରେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ ବିଧାୟକ ଅନୁଭବ ପଟ୍ଟନାୟକ ଏବଂ ଗୟାଧର ପରିଡା । କିନ୍ତୁ ଏମାନଙ୍କୁ ଟିକେଟ ନମିଳିବା ପରେ ଦଳ ଛାଡିନଥିଲେ ସୁଦ୍ଧା ମନରେ ରାଗ ରହିଛି । ଏବଂ ନିର୍ବାଚନରେ ଦଳୀୟ ଭୋଟକୁ ଭାଗ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
ସୌମ୍ୟ ଦୁଇଥର ହାରିବା ପଛରେ ରହିଥିଲା ଗୟାଧର ପରିଡାଙ୍କ ହାତ । ଭାପୁର ବ୍ଳକରେ ସୌମ୍ୟଙ୍କ ଭୋଟ ମାଇନସ କରାଇ ତାଙ୍କୁ ହରାଇଥିଲେ ବୋଲି ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ହେଉଥିଲା । ତେବେ ସେ ଏଥରକ ଟିକେଟ ପାଇଁ ଲବି କରିଥିଲେ ସୁଦ୍ଧା ବିଫଳ ହୋଇଛନ୍ତି । ଏଣୁ ସେ ଦଳରେ ରହିଲେ ମଧ୍ୟ ଭିତରେ ଭିତରେ ଚେର କାଟିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଅପରପକ୍ଷରେ ଅନୁଭବ ୨୦୧୪ରେ ସୌମ୍ୟଙ୍କୁ ହରାଇବା ରାଗ ଏବେ ସୁଦ୍ଧା ସୌମ୍ୟଙ୍କ ମନରୁ ଲିଭିନଥିବା ଦେଖିବାକୁ ମିଳିଛି । କାରଣ ରାଜ୍ୟସଭା ସାଂସଦ ହୋଇଥିଲେ ସୁଦ୍ଧା ବିଧାୟକ ହେବାର ଆଶା ସବୁକିଛି ବୟାନ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ସୌମ୍ୟ ଯେଭଳି ତାଙ୍କ ସାଙ୍ଗରେ ରହି ଶେଷ ପର୍ଯ୍ୟନ୍ତ ଅନୁଭବ ଟିକେଟ ପାଇବେ ବୋଲି ତାଙ୍କୁ ଆଶା ଦେଇଥିଲେ ଏବଂ ପରେ ନିଜେ ବାଜି ମାରିଲେ ସେହିଭଳି ଅନୁଭବ ମଧ୍ୟ ସୌମ୍ୟଙ୍କ ସାଙ୍ଗରେ ରହି ଭୋଟ ମାଇନସ କରିବେ ବୋଲି ଶୁଣିବାକୁ ମିଳୁଛି ।
ଅପରପକ୍ଷରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର । ବିଜେଡିର ଭିତିରିଆ କଳିର ଫାଇଦା ତାଙ୍କୁ ମିଳିବ ବୋଲି ସେ ଆଶା ବାନ୍ଧି ବସିଛନ୍ତି । କଂଗ୍ରେସ ବସନ୍ତ ମହାରଣାଙ୍କୁ ପ୍ରାର୍ଥୀ କରିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଁଞ୍ଚିବା ପାଇଁ ଚେଷ୍ଠା କରିବେ ବସନ୍ତ । ତେବେ ଆଗାମି ନିର୍ବାଚନରେ ଖଣ୍ଡପଡାବାସୀ କାହାକୁ ଭରଷା କରି ଭୋଟ ଦେବେ ତାଉପରେ ସମସ୍ତଙ୍କ ନଜର ।