ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ରାପଡା ଲୋକସଭା ଅଧିନରେ ଆସୁଥିବା ମହାକାଳପଡା ନିର୍ବାଚନରେ ପୁଣିଥରେ ବିଜୟ ହୋଇଛନ୍ତି ଅତନୁ ସବ୍ୟସଚୀ ନାୟକ । ମହାକାଳପଡା ଆସନରେ ଏହା ହେଉଛି ତାଙ୍କର ଦ୍ୱିତୀୟ ବିଜୟ । ପୂର୍ବରୁ ସେ ପାଟକୁରା ଆସନରେ ବିଜୟ ହୋଇଥିଲେ । ପାଟକୁରା ହେଉଛି ତାଙ୍କ ନିଜ ଅଞ୍ଚଳ । ବିଜେଡି ପାୱାର କରିଡର ନେତାଙ୍କ ମଧ୍ୟରେ ଅତନୁ ଅନ୍ୟତମ । ସେ ଅଧିକାଂଶ ସମୟରେ ଗଣମାଧ୍ୟରେ ବିଭିନ୍ନ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି । ଚିଟଫଣ୍ଡ ମାମଲାରେ ତାଙ୍କ ନାମ ଆସିଥିଲା ।
ଚଳିତ ନିର୍ବାଚନରେ ତାଙ୍କ ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ସହ ଟକ୍କର ହୋଇଥିଲା । ଅତନୁଙ୍କୁ ମିଳିଥିଲା ୯୩,୧୯୭ ଖଣ୍ଡ ଭୋଟ । ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନଙ୍କୁ ମିଳିଛି ୭୭,୫୩୪ ଖଣ୍ଡ ଭୋଟ । ଏଠାରେ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ । ବିଭୁତି ଶେଖର ଲେଙ୍କା ୮.୩୧୮ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହୋଇଛନ୍ତି । ବିରୋଧୀମାନେ ଚଳିତ ବର୍ଷ ଅତନୁଙ୍କୁ ହରାଇବା ପାଇଁ ବହୁ ପ୍ରୟାସ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ ।
କେନ୍ଦ୍ରାପଡା ଜିଲ୍ଲାରେ ସବୁ ଆସନରେ ପ୍ରାୟ ବିଜେପି ଏବଂ ବିଜେଡି ମଧ୍ୟରେ କଡା ଟକ୍କର ହୋଇଥିଲା । ବିଜୁବାବୁଙ୍କ କର୍ମଭୂମି କୁହାଯାଉଥିବା ଏହି ମାଟିରେ ବିଜେଡି ସବୁବେଳେ ବାଜିମାତ କରି ଆସିଛି । ଅତନୁଙ୍କ ସ୍ଥିତି ରାଜ୍ୟ ରାଜନୀତିରେ ଭଲ ପରିସ୍ଥିତିରେ ରହିଛି । ତାଙ୍କର ଲୋକ ପ୍ରିୟତା ଭଲ ରହିଛି । ୨୦୧୪ ନିର୍ବାଚନ ଅପେକ୍ଷା ଏଥର ଅଧିକ ଭୋଟ ପାଇଛନ୍ତି ଅତନୁ । ୨୦୧୪ରେ ସେ ୮୧,୦୫୦ ଖଣ୍ଡ ଭୋଟ ପାଇଥିଲେ ।