କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ମହାଙ୍ଗାରୁ ଦୁଇଥର ବିଜୟ ହୋଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ପଦ ତୁଲାଇଛନ୍ତି ପ୍ରତାପ । ତେବେ ଚଳିତ ନିର୍ବାଚନ ଯଦି ସେ ବିଜୟ ହୁଅନ୍ତି ଏହା ତାଙ୍କର ହ୍ୟାଟ୍ରିକ ବିଜୟ ହେବ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନାକୁ ମୁଖ୍ୟ ଅସ୍ତ୍ର କରି ପୁଣିଥରେ ଭୋଟରଙ୍କ ମନମୋହିବା ପାଇଁ ଚେଷ୍ଟା କରିବେ ପ୍ରତାପ । ଶେଷ ପର୍ଯ୍ୟାୟରେ ଏଠାରେ ନିର୍ବାଚନ ହେବାକୁ ଥିବାରୁ ଏବେ ଜୋରସୋରରେ ପ୍ରଚାର ଚାଲିଛି ମାହାଙ୍ଗାରେ ।
ପ୍ରତାପ ଜେନାଙ୍କ ବିପକ୍ଷରେ ଏଠାରେ ୯ ଜଣ ପ୍ରାର୍ଥୀ ଠିଆ ହୋଇଛନ୍ତି । କିନ୍ତୁ ଏଠାରେ ମୁଖ୍ୟତଃ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଏଠାରେ ତୁଙ୍ଗ ନେତା ଦେବେନ୍ଦ୍ର ସାହୁ ପ୍ରାର୍ଥୀ ହୋଇଛନ୍ତି । ଅପରପକ୍ଷରେ ବିଜେପି ମାହାଙ୍ଗା ଉନ୍ନୟନ ପରିଷଦ ସାରଦା ପ୍ରସାଦ ପ୍ରାର୍ଥୀ ହୋଇଛନ୍ତି । ଏଣୁ ଚଳିତ ନିର୍ବାଚନରେ ଏଠାରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି ।
ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ କେନ୍ଦ୍ରାପଡା ରାଜନୈତିକ ସମିକରଣ ବଦଳି ଯାଇଛି । ଏଣୁ ଏଠାରେ ବିଜେପି ହାୱା ମଧ୍ୟ ଭଲ ରହିଛି । ଏଣୁ ପୂର୍ବରୁ ପ୍ରତାପଙ୍କ ପାଇଁ ନିର୍ବାଚନ ଯେତେ ସହଜ ହୋଇଥିଲା ଏଥରକ କଷ୍ଟ ହୋଇପାରେ ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି । ତେବେ ମାହାଙ୍ଗାବାସୀ କାହା ଉପରେ ଭରଷା କରି ଭୋଟ ଦେଉଛନ୍ତି ଆସନ୍ତା ମେ’୨୩ରେ ଜଣା ପଡିବ ।