ପୁରୀ (ଏଟିଆର ବ୍ୟୁରୋ); ରାଜ୍ୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ମହେଶ୍ୱର ମହାନ୍ତି । ୫ଥର ପୁରୀ ଆସନରୁ ବିଧାୟକ ହେବା ପରେ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ ତାଙ୍କୁ ଟିକେଟ ମିଳିବ କି ନାହିଁ ତାହା ଦ୍ୱନ୍ଦରେ ଥିଲା । କିନ୍ତୁ ଶୁକ୍ରବାର ବିଜେଡି ସୁପ୍ରିମୋ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି । ଏବଂ ପୁଣିଥରେ ମହେଶ୍ୱର ମହାନ୍ତିଙ୍କ ଉପରେ ଭରଷା କରି ଟିକେଟ ଦେଇଛନ୍ତି । ପୂର୍ବରୁ ନିର୍ବାଚନ ଯେତେ ସହଜରେ ଜିତୁଥିଲେ ମହେଶ୍ୱର ଏଥରକ ସେତେ ସହଜ ହେବ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଚଳିତ ନିର୍ବାଚନରେ ପୁରୀ ଆସନ ପାଇଁ ବିଜେଡି ଯୁବ ପ୍ରାର୍ଥୀ ଦେବ ବୋଲି ଶୁଣିବାକୁ ମିଳୁଥିଲା । ଏଣୁ ଯୁବ ଗୋଷ୍ଠୀ ମହେଶ୍ୱରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ତାଙ୍କୁ ଟିକେଟ ଦେବା ପରେ ଯୁବ ଗୋଷ୍ଠୀ ଦଳ ଛାଡିବେ ନାଁ ପୁଣିଥରେ ମହେଶ୍ୱରଙ୍କ ଶରଣାପର୍ଣ୍ଣ ହେବେ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ରାଜନୀତିରେ ଘଡିକେ ଘୋଡା ଛୁଟୁଥିବାରୁ ସବୁ କିଛି ସମ୍ଭବ । କିନ୍ତୁ ଯୁବ ଗୋଷ୍ଠୀ ଯଦି ମହେଶ୍ୱରଙ୍କୁ ବିରୋଧ କରନ୍ତି ତେବେ ତାଙ୍କ ବିଜୟରେ ରୋକ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି । ଅପରପକ୍ଷରେ ବିରୋଧୀମାନେ ଦଳୀୟ କନ୍ଦଳର ଫାଇଦା ନେଇ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଚେଷ୍ଠା କରିବେ । ଯାହାକି ମହେଶ୍ୱରଙ୍କ ପାଇଁ ମହଙ୍ଗା ପଡିପାରେ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି ।