ନୟାଗଡ (ଏଟିଆର ବ୍ୟୁରୋ); ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ସବୁଠି ଦେଖା ଦେଇଛି ଅସନ୍ତୋଷ । ତେବେ ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡି ରମେଶ ବେହେରାଙ୍କୁ ପ୍ରାର୍ଥୀ ଭାବେ ଟିକେଟ ଦେଇଛି । ଟିକେଟ ପାଇବା ପରେ ପ୍ରଚାର ଆରମ୍ଭ ହୋଇଯାଇ ଛି । ଏହି ସମୟରେ ମାଓବାଦୀଙ୍କ ପୋଷ୍ଟର ଦଶପଲ୍ଲାରେ ଲାଗିବା ସ୍ଥାନୀୟ ଜନତା ଏବଂ ପୋଲିସର ମୁଣ୍ଡ ବିନ୍ଧାର କାରଣ ହୋଇ ଯାଇଛି । ପୋଲିସ ଖବର ପାଇବା ପରେ ପୋଷ୍ଟର ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ଅନୁଯାୟୀ ରବିବାର ସକାଳେ ଦଶପଲ୍ଲା କୁଆଁରିଆ ଡ୍ୟାମ ନିକଟରେ ଦେଖିବାକୁ ମିଳିଥିଲା ମାଓ ପୋଷ୍ଟର । ସ୍ଥାନୀୟ ଲୋକ ଏହାକୁ ଦେଖିବା ପରେ ଭୟଭୀତ ହୋଇ ଯାଇଥିଲେ । ଏହି ମାଓପୋଷ୍ଟରରେ ଲେଖା ରହିଛି କି ଆମେ ଜନସାଧାରଣଙ୍କୁ ଜଣାଇ ଦେଲୁ ଓ ଦଶପଲ୍ଲା ଥାନା, ଜେଲ୍, କୋର୍ଟ ଉଡେଇ ଦିଆଯିବ। ଗଣିଆ ଥାନା, ଦଶପଲ୍ଲା ଥାନା, ନୟାଗଡ଼ ଥାନା, ମହିପୁର ଥାନା, ନୂଆଗାଁ ଥାନା ତାରିଖ ୨୫.୩.୧୯ଠାରୁ ୧୦.୪.୧୯ ଭିତରେ ଆସିବୁ। ଦଶପଲ୍ଲା ଆଇଆଇସି ବିଶ୍ବଜିତକୁ ଉଡ଼େଇ ଦିଆଯିବ। ଆମେ ଦଶପଲ୍ଲା ଜଙ୍ଗଲରେ ଅଛୁ,’’ -ଏଭଳି ଲାଲ୍ ରଙ୍ଗରେ ଲେଖାଯିବା ସହ ସିପିଆଇ ମାଓବାଦୀ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି।
ସ୍ଥାନୀୟ ଲୋକ ପୋଷ୍ଟର ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମାଓପୋଷ୍ଟର ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ଦଶପଲ୍ଲା ଆଇଆଇସି ସୂଚନା ଦେଇଛନ୍ତି । ତେବେ ଏହା କୌଣସି ଗୋଷ୍ଠୀ ଜାଣିଶୁଣି ଏଭଳି କରିଛନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ପୋଲିସ ତଦନ୍ତ ପରେ ସବୁ ସତ ଜଣା ପଡିବ ବୋଲି ଆଶା ରଖିଛନ୍ତି ଜନତା । କାରଣ ପୂର୍ବରୁ ନୟାଗଡ ଜିଲ୍ଲାରେ ମାଓବାଦୀ ଆକ୍ରମଣରେ ବହୁ କ୍ଷତି ହୋଇଛି । ଏଣୁ ସ୍ଥାନୀୟ ଲୋକ ମାଓବାଦୀ ଜଙ୍ଗଲରେ ରହିଥିବା ଶୁଣିବା ପରେ ଭୟଭୀତ ହୋଇ ଯାଇଛନ୍ତି ।