ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୋଲଗଡ-ବେଗୁନିଆ ବିଧାୟକ ପ୍ରସାନ୍ତ ଜଗଦେବଙ୍କ ରାସ୍ତାରେ କଣ୍ଟା ହୋଇପାରନ୍ତି ମୀର ପରିଡା । ରବିବାର ବିଜେଡିରେ ମୀରା ମିଶିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବା ପାଇଁ ଆଶା ବାନ୍ଧିଛନ୍ତି ମୀରା । ନିଜେ ପୈତୃକ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ମୀରା ଚଳିତ ନିର୍ବାଚନରେ ବେଗୁନିଆରୁ ଲଢ଼ିବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ । ତେବେ ଆଜି ବିଜେଡିରେ ଯୋଗ ଦେବା ପରେ ନିର୍ବାଚନ ଲଢ଼ିବା ଏକପ୍ରକାର ଠିକ ହୋଇ ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ମୀରାଙ୍କ ଉପରେ ଦଳ ଯଦି ଭରଷା କରି ଟିକେଟ ଦିଏ ତେବେ ପ୍ରସାନ୍ତଙ୍କ ଭାଗ୍ୟ ଅନ୍ଧାକାର ହୋଇଯିବ ।
ନିକଟରେ ବିଧାୟକ ପ୍ରସାନ୍ତଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ କିଛି ଦଳୀୟ କର୍ମୀ । ପୂର୍ବତନ ସରପଞ୍ଚଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସରେ ଏତଲା ଦେବା ପରେ ମଧ୍ୟ ପୋଲିସ ଶୁଣିନଥିବାରୁ ଥାନାରେ ପଶି ପୋଲିସ ଅଧିକାରୀଙ୍କୁ ମାଡ ମାରିବା ସହିତ ଥାନାରେ ଭଙ୍ଗାରୁଜା କରିଥିଲେ ଲୋକ । ତେବେ ବିଧାୟକଙ୍କ ପାଇଁ ଏହି ଲଙ୍କାକାଣ୍ଡ ହୋଇଥିବାରୁ ବିଧାୟକଙ୍କ ଲୋକ ପ୍ରିୟତା ନିର୍ବାଚନ ମଣ୍ଡଳୀରେ କମିଥିବା ଶୁଣିବାକୁ ମିଳିଛି ।
ଅପରପକ୍ଷରେ ମୀରା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଲୋକଙ୍କ ସୁଖ ଦୁଃଖରେ ଛିଡା ହୋଇଥିବାରୁ ବିଜେଡି ସୁପ୍ରିମୋ ତାଙ୍କ ଉପରେ ଭରଷା ରଖି ଟିକେଟ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ସବୁବେଳେ ନୂଆ ଘୋଷଣା କରି ଚର୍ଚ୍ଚା ରହୁଥିବା ମୁଖ୍ୟମନ୍ତ୍ରୀ ଏଠାରେ ପ୍ରଥମ ଥର ପାଇଁ ମୀରାଙ୍କୁ ଟିକେଟ ଦେଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି । କିନ୍ନର ଭୋଟ ବ୍ୟାଙ୍କ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ଟିକେଟ ଦେଇ ପାରନ୍ତିି । ଓଡିଶାର ୨୯୩୨ ଜଣ କିନ୍ନରଙ୍କ ଭୋଟ ମୀରାଙ୍କ ସପକ୍ଷରେ ଯିବ । ତେବେ ବେଗୁନିଆରେ କାହା ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବା ଭଳି ନବୀନ ଦଳୀୟ ଟିକେଟ ଦେବେ ତାହା ଉପରେ ସମସ୍ତଙ୍କ ନଜର ।