ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସାରା ଦେଶରେ ମୋଦି ଲହର ଏବଂ ରାଜ୍ୟରେ ନବୀନ ମ୍ୟାଜିକ କାମ କରିଛି । କିନ୍ତୁ କଟକ ବାରବାଟୀ ଆସନରେ ଏହାର କୌଣସି ପ୍ରଭାବ ପଡିନାହିଁ । ତିନି ପ୍ରମୁଖ ରାଜନୈତିକ ଦଳର ହେବିୱେଟଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । କିନ୍ତୁ ଶେଷରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ବାଜିମାତ କରିଛନ୍ତି । ଏଠାରେ ମୋକିମଙ୍କ ଲୋକ ପ୍ରିୟତା ଆଗରେ ଫିକା ପଡିଛି ସବୁକିଛି ।
ବାରବାଟୀ ଆସନରେ ବିଜେଡି ପକ୍ଷରୁ ଦେବାଶିଷ ସାମନ୍ତରାୟ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିର ଟାଣୁଆଁ ନେତା ସମୀର ଦେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ପ୍ରଚାର ଆରମ୍ଭ ହେବା ଦିନଠାରୁ ଚର୍ଚ୍ଚାରେ ରହିଥିଲା ଏହି ନିର୍ବାଚନ ମଣ୍ଡଳୀ । ଦେଶରେ କଂଗ୍ରେସର ପରିସ୍ଥିତି ଭଲ ନଥିବା ବେଳେ ମୋଦି ଏବଂ ନବୀନଙ୍କ ଲହର ଲୋକଙ୍କୁ ଆକୃଷ୍ଟ କରୁଥିଲା । ତେବେ ଏଠାରେ ମୋକିମଙ୍କ ସଂଗଠନ ଭଲ ଥିଲା । ଏଣୁ ତିନି ନେତା ମଧ୍ୟରୁ କିଏ ଜିତିବ ତାକୁ ନେଇ ରାଜନୈତିକ ବିଷାରଦମାନେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଥିଲେ ।
୨୦୧୪ରେ ଏଠାରେ ଦେବାଶିଷ ସମାନ୍ତରାୟଙ୍କଠାରୁ ମୋକିମ ପରାସ୍ତ ହୋଇଥିଲେ । ହାରିବା ପରେ ମଧ୍ୟ ସଂଗଠନକୁ ଦୃଢ଼ କରିବାରେ ଲାଗିଥିଲେ ମୋକିମ । ତେବେ ପୁଲୱାମା ଆକ୍ରମଣ ଘଟଣାରେ ସହୀଦ ମନୋଜ ନାୟକଙ୍କ ଦାଦାଙ୍କୁ ଦେବାଶିଷ ସାମନ୍ତରାୟଙ୍କ ଅସମ୍ମାନ ଘଟଣା ପାଇଁ ତାଙ୍କ ପରାଜୟ ହୋଇଥିବା ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।