ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡିକୁ ବାଏ ବାଏ କହିଛନ୍ତି ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ । ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ଦଳ ଛାଡିବା ପରେ ମୋରଡାରେ ରାଜନୈତିକ ମୋଡ ବଦଳିପାରେ ବୋଲି ଅନୁମାନ କରାଯାଉଛି । ତାଙ୍କୁ ଟିକେଟ ମିଳିବନି ବୋଲି ପୂର୍ବାଭାସ ପାଇବା ପରେ ଇସ୍ତଫା ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ସେ କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
ମୋରଡାରୁ ଲାଗତାର ଦୁଇଥର ବିଧାୟକ ହୋଇଥିଲେ ପ୍ରବୀଣ ଭଞ୍ଜଦେଓ । ବିଜେଡି ସରକାରଙ୍କ ଯୁବ ସେବା ଏବଂ କ୍ରୀଡା ବିଭାଗରେ ମନ୍ତ୍ରୀଥିଲେ । ତେବେ ତାଙ୍କ ସହ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ପ୍ରାର୍ଥୀ ରାଜ କିଶୋର ବିଜେଡିରେ ମିଶିଛନ୍ତି । ଏଣୁ ତାଙ୍କୁ ଏଥରକ ବିଜେଡି ଟିକେଟ ମିଳିପାରେ ବୋଲି ଜାଣିବା ପରେ ପ୍ରବୀଣ ଆଗୁଆ ଦଳରୁ ଇସ୍ତଫା ଦେଇଛନ୍ତି । ଦଳରୁ ଇସ୍ତଫା ଦେବା ପରେ ମୋରଡାରେ ବିଜେଡିକୁ ଶକ୍ତ ଝଟକା ଲାଗିଛି । କାରଣ ଦୁଇ ଦୁଇ ଥର ବିଧାୟକ ହୋଇଥିବାରୁ ତାଙ୍କର ନିଜସ୍ୱ ଭୋଟର ବ୍ୟାଙ୍କ ରହିଛି । ଯାହାକି ବିଜେଡି ପାଇଁ ଅଡୁଆ କରିପାରେ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଆଗାମୀ ଦିନରେ ମୋରଡା ବାସୀ କାହା ଉପରେ ଭରଷା କରିବେ ତାଉପରେ ସମସ୍ତଙ୍କ ନଜର ।