ନୟାଗଡ (ଏଟିଆର ବ୍ୟୁରୋ); ବିଜେଡି ଆଜିଠାରୁ ଆରମ୍ଭ କରିଛି ପ୍ରଚାର ଅଭିଯାନ । ନୟାଗଡରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆରମ୍ଭ କରିବେ ପ୍ରଚାର । ତେବେ ବର୍ତ୍ତମାନ ସୁଦ୍ଧା ଏଠାରେ ପ୍ରାର୍ଥୀ ଘୋଷଣା ହୋଇନଥିଲେ ମଧ୍ୟ ପ୍ରଥମେ ନୟାଗଡକୁ ବାଛିଥିବାରୁ ନୟାଗଡ ଜିଲ୍ଲା ବିଜେଡି କର୍ମୀ ବେଶ ଖୁସିଥିବା ଦେଖିବାକୁ ମିଳୁଛି । ନୟାଗଡର ହେବିୱେଟ ନେତା ଅରୁଣ ସାହୁଙ୍କ ସମେତ ଜିଲ୍ଲାର ଅନ୍ୟ ତୁଙ୍ଗ ନେତା ଏବଂ କର୍ମୀମାନେ ବହୁ ସଂଖ୍ୟାରେ ଯୋଗ ଦେବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।
ନୟାଗଡକୁ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର କେତେକ କୁଜି ନେତାମାନଙ୍କର କୁଞ୍ଚ ତଳେ ଲାଗୁନଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ଗାଁ ଗାଁ ବୁଲି ଲୋକଙ୍କୁ ମେଳ କରି ନୟାଗଡ ଅଭିମୁଖେ ବାହାରି ପଡିଛନ୍ତି ଛୋଟ କାଟିଆ ବିଜେଡି ନେତା । ତେବେ ନବୀନ ପଟ୍ଟନାୟକଙ୍କୁ ପାଖରୁ ଦେଖିବା ପାଇଁ ମଧ୍ୟ ଆଗ୍ରହ ହୋଇ କେତେକ ଜନତା ବାହାରୁଥିବା ଦେଖିବାକୁ ମିଳିଛି । ତେବେ ଏତେ ବଡ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାହାରିଥିବା ନେତାମାନେ ସକାଳୁ ସକାଳୁ ନାଲି ହୋଇ ବାହାରି ପଡିଛନ୍ତି । ଆଜିର ପ୍ରଚାର ଅଭିଯାନରେ ଲକ୍ଷାଧିକ କର୍ମୀ ଯୋଗ ଦେବେ ବୋଲି ବିଜେଡି ସୂଚନା ଦେଇଛି ।
ପ୍ରବଳ ଖରା ହେଉଥିଲେ ସୁଦ୍ଧା କର୍ମୀମାନେ କିଛି ଖାତିର ନକରି ବାହାରି ପଡିଛନ୍ତି ପ୍ରଚାର ଅଭିଯାନରେ ସାମିଲ ହେବା ପାଇଁ । ସକାଳୁ ସକାଳୁ ମାଲ ମୁନ୍ଦାଏ ପକାଇ ଦେଲା ପରେ ଖରା ନା ଫରା । ତେବେ ନୟାଗଡରେ ଏତେ ବଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତଙ୍କ ନଜର ରହିଛି ଏଠାରେ କାହାକୁ ମିଳିବ ଦଳୀୟ ଟିକେଟ । ସମସ୍ତଙ୍କଠାରୁ ଆଗରେ ରହିଛନ୍ତି ଜିଲ୍ଲାର ହେବିୱେଟ ନେତା ଅରୁଣ ସାହୁ । ବିଜେଡିର ପାୱାର କରିଡର ମଧ୍ୟରେ ଅରୁଣ ଅନ୍ୟତମ ।