ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ନବୀନ ଓ ଅମିତ ଶାହା ନିଜ ନିଜ ନିର୍ବାଚନୀ ସଭାରେ ପରସ୍ପରକୁ ଟାର୍ଗେଟ କରିଛନ୍ତି । ଆଜି ରାୟଗଡା ଗୁଣପୁରରେ ନବୀନ କେନ୍ଦ୍ର ଉପରେ ବର୍ଷିଥିବା ବେଳେ ଅମିତି ଶାହା ଓଡିଶା ଗସ୍ତରେ ଆସି ନବୀନଙ୍କୁ କଡା ସମାଲୋଚନା କରିଛନ୍ତି । ଗୁଣପୁର ସଭାରେ ନବୀନ କହିଛନ୍ତି ଗରିବଙ୍କ ପ୍ରତି କେନ୍ଦ୍ରର କୌଣସି ଆନ୍ତରିକତା ନାହିଁ । ଯେଉଁଥି ପାଇଁ ଗରିବଙ୍କ ଆହାର ଯୋଜନା ପାଇଁ କେନ୍ଦ୍ର ଅର୍ଥ ଦେବାକୁ ମନା କରିଦେଲା । ସେହିଭଳି ରାଜ୍ୟ ସରକାର ପିଇବା ପାଣି ପାଇଁ ବାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ କେନ୍ଦ୍ର ମାତ୍ର ଦେଇଛି ୧ ହଜାର କୋଟି ଟଙ୍କା ।
ସେପଟେ ବିଜେପି ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ଯୋଗଦେଇ ଶାହା ନବୀନ ସରକାରର ୧୯ ବର୍ଷ ଶାସନର ଚରିତ୍ର ଚିତ୍ରଣ କରିଛନ୍ତିି । ଶାହା ନବୀନଙ୍କୁ ସମାଲୋଚନା କରି କହିଛନ୍ତି ଯେଉଁ ପରିବର୍ତ୍ତନର ଆଶା ନେଇ ନବୀନ ବାବୁଙ୍କୁ ଓଡିଶାବାସୀ ଦାୟିତ୍ୱ ଦେଇଥିଲେ ନବୀନ ତାକୁ ୧୯ ବର୍ଷର ଶାସନ ଭିତରେ ବି ପୁରା କରିପାରିଲେ ନାହିଁ । ଆହୁରି ମଧ୍ୟ କହିଛନ୍ତି ନବୀନଙ୍କ ଆଳସ୍ୟ ଓ ଦୂରଦର୍ଶିତାର ଅଭାବ ଯୋଗୁ ନବୀନଙ୍କ ନେତୃତ୍ୱରେ ଓଡିଶା ପତନ ଆଡକୁ ଗତି କରୁଛି । ନବୀନ କେବେ ହେଲେ ନିଜ ବିକଳ୍ପକୁ ସହି ପାରନ୍ତି ନାହିଁ । ତେଣୁ ସେ ତାଙ୍କୁୁ ଦଳରୁ ବାହାର କରି ଦିଅନ୍ତି ବୋଲି କହିଛନ୍ତି ।
ନବୀନ ମଧ୍ୟ କେନ୍ଦ୍ରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ବିପର୍ଯ୍ୟୟ ବେଳେ ସହାୟତା ଦେଉନଥିବା କେନ୍ଦ୍ର ସରକାରଙ୍କର କେବଳ ଭୋଟ ବେଳେ ଓଡିଶା କଥା ମନେ ପଡେ । ବାକି ସମୟରେ କୋଉଠି ଥାନ୍ତି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଜୀବନ ଥିବା ପର୍ଯ୍ୟନ୍ତ ଓଡିଶା ବାସୀଙ୍କ ସେବା କରିବେ ବୋଲି ଦୋହରାଇଛନ୍ତି ନବୀନ ।