ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ପୁଣିଥରେ ଚର୍ଚ୍ଚାରେ ରହିଛି । ଚଳିତ ନିର୍ବାଚନରେ ଏଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ତେବେ ସେ ଦୁଇଟି ଆସନରୁ ବିଜୟ ହୋଇଥିବାରୁ ଗୋଟିଏ ଆସନ ଛାଡିବା ପାଇଁ ବାଧ୍ୟ ହୋଇଛନ୍ତି । ରାଜନୀତି ଆରମ୍ଭ କରିଥିବା ହିଞ୍ଜିଳିକୁ ରଖି ବିଜେପୁରକୁ ବାଏ ବାଏ କହିଛନ୍ତି ନବୀନ । ରବିବାର ବିଜେପୁର ଆସନରୁ ବାଚସ୍ପତିଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ ।
ପୁଣି ବିଜେପୁର ଏକ ଉପ ନିର୍ବାଚନ ଦେଖିବା ପାଇଁ ଯାଉଛି । ୨୦୧୭ରେ ଏଠାରେ ହୋଇଥିବା ଉପ ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ନବୀନ ପ୍ରାର୍ଥୀ ହେବାକୁ ନେଇ ଚର୍ଚ୍ଚାରେ ରହିଥିଲା ବିଜେପୁର । ଏବେ ପୁଣି ବିଜେପୁର ବାସୀ ଏକ ଉପନିର୍ବାଚନ ଦେଖିବା ପାଇଁ ଯାଉନନ୍ତି । ଯାହାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ଆସନରେ ବିଜେଡି କାହାକୁ ପ୍ରାର୍ଥୀ କରିବ? ରିତା ସାହୁ ପ୍ରାର୍ଥୀ ହେବେ ତ? ଏମିତି ବହୁ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।
ବିଜେପୁର ଆସନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ବିଜୟ ହୋଇ ଆସୁଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ ତାଙ୍କ ସ୍ତ୍ରୀ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ରେ ତାଙ୍କୁ ବସାଇ ନବୀନ ନିଜେ ପ୍ରାର୍ଥୀ ହୋଇଥିଲେ । ଏବେ ଏଠାରେ ଦଳ କାହାକୁ ଟିକେଟ ଦେଉଛି ତାଉପରେ ସମସ୍ତଙ୍କ ନଜର । କଂଗ୍ରେସ ପୁଣିଥରେ ନିଜ ଆସନକୁ ଫେରିବା ପାଇଁ ବଳ କଷୁଥିବା ବେଳେ ବିଜେପି ସକ୍ରିୟ କରୁଛି ସଂଗଠନ । ତେବେ ଆଗାମି ଦିନରେ କିଏ ବିଜୟୀ ହେବ ତାଉପରେ ନଜର ।