ଭୁବନେଶ୍ୱର ( ଏଟିଆର ବୃୁରୋ): ଆସନ୍ତା କାଲି ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶପଥ ଗ୍ରହଣ ଉତ୍ସବ । ଏ ନେଇ ପ୍ରଦର୍ଶନୀ ପଡିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପ୍ରଥମ ଥର ରାଜ୍ୟପାଳଙ୍କ ବାସ ଭବନ ବାହାରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି । ଏହି ଅବସରରେ ନବୀନ ସବୁ ଦଳର ନବ ନର୍ବାଚିତ ବିଧାୟକ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି ।ଏଥି ସମେତ ଦେଶର ବଡବଡ ଶିଳ୍ପପତି ମାନଙ୍କୁ ମଧ୍ୟ ନବୀନ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି ।
ସେହିଭଳି ପ୍ରଶାସନ ପକ୍ଷରୁ ଆସନ୍ତାକାଲି ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । କାର୍ଯ୍ୟକ୍ରମରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ଅତିଥି ମାନଙ୍କ ପାଇଁ ୫ ଟି ପ୍ରବେଶଦ୍ୱାର ନିର୍ମାଣ କରାଯାଇଛି । ସ୍ୱତନ୍ତ୍ର ଅତିଥି ଏବଂ ଏମଏଲଏ ଓ ଏମପି ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ ନିର୍ଦ୍ଧାରଣ କରାଯାଇଛି । ସଭାସ୍ଥଳରେ ୭ ହଜାର ଅତିିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମଞ୍ଚକୁ ସମ୍ପୂୁର୍ଣ୍ଣ ସିସିଟିଭି ନଜରରେ ରଖାଯାଇଛି ।
ତେବେ ଏହି ସବୁ ଭିତରେ ସମସ୍ତଙ୍କ ନଜର ରହିଛି ୫ ମ ପାଳିର ମନ୍ତ୍ରୀ ମଣ୍ଡଳ ଉପରେ । ନବୀନ କାହା ଉପରେ ଭରଷା କରୁଛନ୍ତି ତାହା ଦେଖିବାକୁ ବାକି ରହିଛି । ତେବେ ସୂତ୍ର ସୂଚନାନୁଯାୟୀ ୨୧ ଟି ବିଭାଗ ପାଇଁ ନବୀନ ମନ୍ତ୍ରୀ ବାଛି ସାରିଛନ୍ତି । ଯାହା ଗୁପ୍ତରେ ରଖାଯାଇଛି । କାର୍ୟ୍ୟଦକ୍ଷତା, ସ୍ବଚ୍ଛଭାବ ମୂର୍ତ୍ତି ସାଂଗକୁ ସାଂଗଠନିକ ଦକ୍ଷତା ଥିବା ବିଧାୟକଙ୍କୁ ମନ୍ତ୍ରୀ କରାଯାଇଥିବା କୁହାଯାଉଥିଲେ ମଧ୍ୟ ଦଳର ପୁରୁଖା ଓ ଟାଣୁଆ ନେତାଙ୍କୁ ନବୀନ ଗୁରୁତ୍ୱ ଦେଇ ପାରନ୍ତି ।