ନୟାଗଡ (ଏଟିଆର ବ୍ୟୁରୋ); ସବୁ ନିର୍ବାଚନ ମଣ୍ଡଳୀରେ ବହିଲାଣି ନିର୍ବାଚନୀ ହାୱା । କିଏ ପ୍ରାର୍ଥୀ ହେବ, କାହାକୁ ଭୋଟ ଦେବା ଏଭଳି କଥା ସବୁଠି ପାଲଟିଛି ଚର୍ଚ୍ଚା । ତେବେ ଏଭଳି ବହୁ ଚର୍ଚ୍ଚା ମଧ୍ୟ ନୟାଗଡ ଆସନ ପାଇଁ ଆରମ୍ଭ ହୋଇଯାଇଛି । ଏଠାରେ ତିନିଥର ଲାଗି ବିଧାୟକ ହୋଇଥିବା ଅରୁଣ ସାହୁ ସବୁ ନେତାଙ୍କଠାରୁ ଆଗରେ ରହିଥିବା ଶୁଣିବାକୁ ମିଳୁଛି । ରାଜ୍ୟର ଶାସକ ଦଳରେ ସେ ଜଣେ ହେବିୱେଟ ନେତା । ଏଣୁ ନିଜ ନିର୍ବାଚନ ମଣ୍ଡଳୀରେ ନିଜର ଦବଦବା ରହିଛି । ତେବେ ଅରୁଣଙ୍କ ବିଜୟରେ ବ୍ରେକ ଲଗାଇବା ପାଇଁ ଉଭୟ କଂଗ୍ରେସ ଏବଂ ବିଜେପି ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଲାଣି । କଳେବଳେ କୌଶଳେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ତିନି ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଇଛି ।
୨୦୦୪ ମସିହାରେ ପ୍ୟାରି ମୋହନ ମହାପାତ୍ରଙ୍କ ଅନୁଗତ ଭାବରେ ନୟାଗଡରେ ଟିକେଟ ପାଇ ବିଜୟ ହୋଇଥିଲେ ଅରୁଣ । ଏହାପରେ ଗତ ୨ଟି ନିର୍ବାଚନରେ ମଧ୍ୟ ସେ ଜିତି ହାଟ୍ରିକ ମାରିଛନ୍ତି । ତେବେ ୨୦୦୯ ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦୀ ସ୍ୱର୍ଗତ ହେମେନ୍ଦ୍ର ସିଂହ ତାଙ୍କୁ କଡା ଟକ୍କର ଦେଇଥିଲେ । କିନ୍ତୁ ପରେ କୌଶଳ କରି ତାଙ୍କୁ ଦଳରେ ମିଶାଇ ଦେଇଥିଲେ ଅରୁଣ । ଏକଥା ଆମେ କହୁନୁ ବରଂ ନିର୍ବାଚନ ମଣ୍ଡଳୀର ଲୋକମାନେ କଥା ହେଉଛନ୍ତି ।
ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି ଅରୁଣ ସାହୁ । ସେ ଚିଟଫଣ୍ଡ କେସ ହେଉ ବା ବ୍ରହ୍ମ ବିଭ୍ରାଟ । ଏଣୁ ଏହି ନିର୍ବାଚନ ତାଙ୍କ ପାଇଁ କଷ୍ଟ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ସ୍ୱର୍ଗତ ହେମେନ୍ଦ୍ର ସିଂହଙ୍କ ପତ୍ନୀ କୁଆଡେ ନୟାଗଡ ଆସନରୁ ଲଢ଼ିପାରନ୍ତି ବୋଲି ମଧ୍ୟ ବିଶେଷ ସୂତ୍ରରୁ ଶୁଣିବାକୁ ମିଳୁଛି । ତେବେ ସେ ଯଦି ଦଳିୟ ଟିକେଟ ପାଇଁ ଅଡି ବସନ୍ତି ତେବେ ଅରୁଣଙ୍କୁ ଅଡୁଆ ହୋଇପାରେ । ସେପଟେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଲାଲା ମନୋଜ ରାୟ ଲୋକ ସମ୍ପର୍କ ବଢ଼ାଇବାରେ ଲାଗିଛନ୍ତି । କିନ୍ତୁ ନୟାଗଡରେ ବିଜେପି ୩ ଭାଗରେ ବିଭକ୍ତ । ଯାହାକୁ ନେଇ ମଝିରେ ଗୋଷ୍ଠି କନ୍ଦଳ ହୋଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ନିର୍ବାଚନ ସମୟରେ ଏକାଠି ହୋଇ ଲଢ଼ିବା ପାଇଁ ସୂଚନା ଦେଇଛି ବିଜେପି ।
ସେପଟେ କଂଗ୍ରେସ ପକ୍ଷରୁ ଦୁଇ ଜଣ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଏମାନେ ହେଲେ ଜିଲ୍ଲା ସଭାପତି ରଞ୍ଜିତ ଦାସ ଏବଂ ମନୋଜ କୁମାର । ନିର୍ବାଚନ ମଣ୍ଡଳୀର ସବୁ ଦଳରେ ଏଭଳି ଦଳୀୟ କନ୍ଦଳ ଲାଗି ରହିଥିବା ଦେଖିବାକୁ ମିଳିଛି । ତେବେ ଆଗାମୀ ଦିନରେ କିଏ ଟିକେଟ ପାଉଛି ତାହା ଦେଖିବାକୁ ବାକି ରହିଥିବା ବେଳେ ନୟାଗଡ ବାସୀ କାହାକୁ ନିର୍ବାଚିତ କରିବେ ତା ଉପରେ ସମସ୍ତଙ୍କ ନଜର ।