ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ଗତକାଲି ଆସିଥିବା ନିର୍ବାଚନୀ ଫଳଫଳରେ କଂଗ୍ରେସ କେନ୍ଦ୍ର ଏବଂ ରାଜ୍ୟରେ ଶୋଚନୀୟ ପରାଜୟ ହୋଇଛି । ହାରିବା ପରେ ନିରଞ୍ଜନ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି । ସେ ନିଜର ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି । ତେବେ ପ୍ରତିକୂଳ ପରିସ୍ଥିତିରେ ଦଳକୁ ବିଜୟ ଆଣିଦେଇଥିବା କଂଗ୍ରେସର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିସିସି ସଭାପତି ।
ଇସ୍ତଫା ଦେବା ପରେ ନିରଞ୍ଜନ କହିଛନ୍ତି,“ ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଇଛି। ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛି। ସାରା ଦେଶରେ ମୋଦି ବାତ୍ୟା ପ୍ରବାହିତ ହେଲା,ସେଥିରେ ଆମେ ଟଳି ପଡ଼ିଲୁ।” ସେ ଆହୁରି କହିଛନ୍ତି,“ ରାଜ୍ୟରେ ନବୀନ, ଦେଶରେ ମୋଦିଙ୍କୁ ଲୋକେ ଭରସା କଲେ। ରାଜନୀତିରେ ନୀତି, ଆଦର୍ଶ ନାହିଁ’, ବ୍ୟବସାୟୀକରଣ ହୋଇଛି। ନୀତି, ଆଦର୍ଶବାନ ଯୁବପିଢ଼ି ନେତୃତ୍ୱ ପାଇଁ ଆଗେଇ ଆସନ୍ତୁ”
ଚଳିତ ନିର୍ବାଚନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଆସନ ଏବଂ କେନ୍ଦୁଝର ଜିଲ୍ଲା ଘଷିପୁରାରୁ ନିର୍ବାଚନ ଲଢ଼ିଥିଲେ । ଦୁଇଟିଯାକ ଆସନରେ ତାଙ୍କର ଶୋଚନୀୟ ପରାଜୟ ହୋଇଛି । ଘଷିପୁରାରେ ତାଙ୍କର ବଡ ପରାଜୟ ହୋଇଛି । ଲଢ଼ିଥିବା ଦୁଇଟିଯାକ ଆସନ ବିଜେଡି ଖାତାକୁ ଯାଇଛି ।