ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଆସନ୍ତା ନଭେମ୍ବର ୧୬ ତାରିଖରୁ ପୁଣି ଉଠିବ ପଡିବ ବିଧାନସଭା । ଚଳିତ ମାସ ୧୬ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ଅଧିବେଶନ ନଭେମ୍ବର ୧୬ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି ।
ମୋଟ ୨୩ ଟି କାର୍ଯ୍ୟଦିବସକୁ ନେଇ ଏହି ଶୀତକାଳୀନ ଅଧିବେଶନ ଚାଲିବ ବୋଲି ଜଣାପଡିଛି । ସେପଟେ ଏଥର ବିଧାନସଭା ଅଧିବେଶନ ସରଗରମ ହେବ ବୋଲି ଅନୁମାନ କରାଯାଇଛି । ଶାସକ ବିଜେଡିକୁ ଉଭୟ କଂଗ୍ରେସ ଓ ବିଜେପି ଟାର୍ଗେଟରେ ରଖିବେ । ରାଜ୍ୟରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ନେଇ ଶାସକ ଦଳକୁ ଘେରିବାକୁ ଅଣ୍ଟା ଭିଡିଛନ୍ତି ବିରୋଧୀ ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି , ଓକିଲ ଆନ୍ଦୋଳନ , ଚାଷୀ ଆନ୍ଦୋଳନ , ତଥା ବିଭିନ୍ନ ଦୁର୍ନୀତିକୁ ନିଜର ମୁଖ୍ୟ ଅସ୍ତ୍ର ରୂପେ ବ୍ୟବହାର କରିବେ ବିରୋଧୀ । ସେହିପରି ବିରୋଧୀଙ୍କୁ ମଧ୍ୟ କାଉଣ୍ଟର କରିବା ପାଇଁ ଶାସକ ତୟାର ହେଉଥିବା ଜଣାପଡିଛି ।