ବରଗଡ (ଏଟିଆର ବ୍ୟୁରୋ); ସବୁଠି ଚାଲିଛି ନିର୍ବାଚନୀ ଚର୍ଚ୍ଚା । କାହାକୁ ମିଳିବ ଟିକେଟ? କାହାକୁ ଟିକେଟ ମିଳିଲେ ବିଜୟ ସୁନିଶ୍ଚିନ୍ତ ଏଭଳି ଅନେକ କଥାକୁ ନେଇ ଚାଲିଛି ରାଜନୈତିକ ଚର୍ଚ୍ଚା । କେଉଁଠି ନୂଆ ନେତା ଉଭା ହେଉଛନ୍ତି ତ ଆଉ କେଉଁଠି ପୁରୁଣା ନେତାଙ୍କ ମଧ୍ୟ କଡା ଟକ୍କର ହେବ ବୋଲି ଆଶା କରାଯାଉଛି । ଯେଉଁଥିରେ ଆଗରେ ଅଛି ବରଗଡ ନିର୍ବାଚନ ମଣ୍ଡଳୀ । ଏଠାରେ ଚଳିତ ନିର୍ବାଚନରେ ପୁରୁଣା ନେତାଙ୍କ ମଧ୍ୟରେ ନୂଆ ଲଢ଼େଇ ହେବ ବୋଲି ସାଧାରଣରେ ଚଚ୍ଚ ର୍ା ଆରମ୍ଭ ହୋଇଗଲାଣି । ବରଗଡ ନିର୍ବାଚନ ମଣ୍ଡଳୀର ଇତିହାସ ପୃଷ୍ଠାକୁ ଓଲଟାଇ ଦେଖିଲେ ଏଠାରେ କଂଗ୍ରେସ,ବିଜେଡି ଏବଂ ଜନତା ଦଳ ବିଜୟ ବାନା ଉଡାଇଛନ୍ତି । କିନ୍ତୁ ଏହି ଆସନରେ ଆଜି ପର୍ଯ୍ୟନ୍ତ ବିଜେପି ଖାତା ଖୋଲି ନାହିଁ ।
ବିଜେପି ପ୍ରଥମ ଥର ପାଇଁ ଏଠାରେ ବିଜୟ କରିବା ଲକ୍ଷ୍ୟରେ ରହିଥିବା ବେଳେ ଉଭୟ ବିଜେଡି ଏବଂ କଂଗ୍ରେସ ଏହି ଦୌଡରେ ଆଗରେ ରହିଛନ୍ତି । ଏଠାରେ ବିଜେଡି ପକ୍ଷରୁ ଯୁବ ନେତା ଦେବେଶ ଆଚାର୍ଯ୍ୟ ଲଢ଼ିବେ ବୋଲି ଅନୁମାନ କରାଯାଉଛି । କାରଣ ସେ ଏବେ ଏଠାକାର ବିଧାୟକ ଅଛନ୍ତି । ଏଣୁ ସେ ଲୋକ ସମ୍ପର୍କ ରକ୍ଷା କରିବା ପାଇଁ ଗାଁ ଗାଁ ବୁଲି ଜନ ସାଧାରଣଙ୍କ ପାଖରେ ପହଁଞ୍ଚୁଥିବା ଦେଖିବାକୁ ମିଳୁଛି । ସେପଟେ କଂଗ୍ରେସ ନେତା ତଥା ୨୦୦୯ରେ ବିଧାୟକ ହୋଇଥିବା ସାଧୁ ନେପାକ ପୁଣିଥରେ ସ୍ଥିତି ସଜାଡି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେ ମଧ୍ୟ ଲୋକ ସମ୍ପର୍କ ବଢ଼ାଇବାରେ ଲାଗିଛନ୍ତି ।
ତେବେ ଏଥିରୁ ବାଦ ପଡିନାହିଁ ବିଜେପି । ପ୍ରଥମ ଥର ପାଇଁ ବିଜୟ ହୋଇ ନୂଆ ରେକର୍ଡ ଆଶାରେ ରହିଛି । ବିଜେପି ପକ୍ଷରୁ ଏଠାରେ ରାଜ୍ୟ ଉପସଭାପତି ଅଶ୍ୱିନୀ ଷଢ଼ଙ୍ଗୀ ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳୁଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଜନ ସାଧାରଣଙ୍କ ନିକଟରେ ପହଁଞ୍ଚାଇ ଭୋଟରଙ୍କ ମନମୋହିବା ପାଇଁ ଚେଷ୍ଠା କରୁଛନ୍ତି । ତେବେ ବିଜେଡି ଏବଂ ବିଜେପି ପକ୍ଷରୁ ଏହି ଦୁଇ ପୁରୁଣା ପ୍ରାର୍ଥୀ ନିଶ୍ଚିନ୍ତ ଟିକେଟ ପାଇବା ଶୁଣିବାକୁ ମିଳୁଥିବା ବେଳେ କଂଗ୍ରେସର ଟିକେଟ ରେସରେ ଆଉ କିଛି ନେତା ରହିଛନ୍ତି । ତେବେ ସେ ଯାହାବି ହେଉ ଟିକେଟ କାହାକୁ ମିଳୁଛି ଏବଂ ବରଗଡବାସୀ କାହାକୁ ବାଛୁଛନ୍ତି ତା ଉପରେ ସମସ୍ତଙ୍କ ନଜର ।