କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଆସନ୍ତା ୨୦ ତାରିଖରେ ପାଟକୁରା ନିର୍ବାଚନ । ଆସନ୍ତାକାଲି ସଂନ୍ଧ୍ୟାରୁ ପ୍ରଚାର ବନ୍ଦ ହେବ । ଲାଗୁହେବ ଆଚରଣ ବିଧି । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାରାଥନ ପ୍ରଚାର କରିଥିଲେ । ସାଧାରଣ ନିର୍ବାଚନ ସମୟରେ ଯେଭଳି ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଲଭୋ ବସରେ ରୋଡ ସୋ କରି ପ୍ରଚାର କରିଥିଲେ । ଆଜି ସମାନ ଢ଼ଙ୍ଗରେ ସାବିତ୍ରୀଙ୍କ ପାଇଁ ପ୍ରଚାର କରିଥିଲେ ।
ଚଳିତ ନିର୍ବାଚନରେ ନବୀନଙ୍କ ରୋଡ ସୋ ବହୁତ ସୁଫଳ ଆଣି ଦେଇଥିଲା । ତେବେ ଆଜି ନବୀନ ପ୍ରଚାର କଲା ପରେ ସାଧାରଣରେ ଉଠିଛି ପ୍ରଶ୍ନ । ପାଟକୁରାରେ କଣ କାମ କରିବ ନବୀନଙ୍କ ମାରାଥନ ପ୍ରଚାର । ଚା ଦୋକାନରୁ ଆରମ୍ଭ କରି ସରକାରୀ ଅଫିସ ସବୁଠି ଏବେ ଏଭଳି ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି । ତେବେ ଆସନ୍ତା ୨୦ ତାରିଖରେ ଜନତା କାହା ଉପରେ ଭରଷା କରି ଭୋଟ ଦେଉଛନ୍ତି ତାଉପରେ ସମସ୍ତଙ୍କ ନଜର ।
ପାଟକୁରାରେ ୭ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପିର ବରିଷ୍ଠ ନେତା ବିଜୟ ମାହାପାତ୍ର ଏବଂ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ଏଣୁ ଉଭୟ ଦଳର ହେବିୱେଟ ନେତା ଏବଂ ବିଧାୟକମାନେ ପ୍ରଚାର କରୁଛନ୍ତି । ତେବେ ଆଜି ମୁଖ୍ୟମନ୍ତ୍ରୀ ଶେଷ ସମୟରେ ପ୍ରଚାର କରିଛନ୍ତି । ଯାହାର ପ୍ରଭାବ ପାଟକୁରା ବାସୀଙ୍କ ଉପରେ ପଡିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ବିଜେପି କହିଛି ଏଠାରେ ବିଜୟ ମହାପାତ୍ରଙ୍କୁ ଲୋକ ଭୋଟ ଦେବା ପାଇଁ ସ୍ଥିର କରିଛନ୍ତି । ଏଣୁ ଏଠାରେ ଅନ୍ୟ କୌଣସି ପ୍ରଭାବ ପଡିବ ନାହିଁ ।