ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଜେଇଙ୍କୁ ବସ ଉଠ କରାଇବା ମାମଲାରେ ଜେଲରେ ଥିବା ପାଟଣାଗଡ ବିଧାୟକଙ୍କୁ ଆଜି ମିଳିଛି ସର୍ତ୍ତମୂଳକ ଜାମିନ । ୨ ଜାମିନଦାରଙ୍କ ସହ ୨୫ ହଜାର ଟଙ୍କା ବିନିମୟରେ ତାଙ୍କୁ ଜାମିନ ମିଳିଛି । ତାଙ୍କୁ ଭୁବନେଶ୍ୱର ଏଡି.ଜେ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଗତକାଲି ପୂର୍ତ୍ତ ନିର୍ଦ୍ଦେଶ ମୁତାବକ ଝାରପଡା ଜେଲରୁ ଭିଡିଓ କନଫରେନ୍ସ ଜରିଆରେ ଉଭୟ ପକ୍ଷ ରଖିଥିଲେ । ଏହାପରେ ଆଜି ଜାମିନ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଥିଲା ।
ସୂଚନାଯୋଗ୍ୟ, ଗତ ୫ ତାରିଖରେ ଜେଇଙ୍କୁ ରାସ୍ତା ଉପରେ ବସ ଉଠ କରାଇଥିଲେ ବିଧାୟକ । ଏକ ରାସ୍ତା କାମରେ ଅନିୟମିତତା ହୋଇଥିବାରୁ ସର୍ବ ସମ୍ମୁଖରେ ୧୦୦ଥର ବସ ଉଠ ହେବା ପାଇଁ ବିଧାୟକ କହିଥିଲେ । ତେବେ ବିଧାୟକଙ୍କୁ ଯେତେ କାକୁତି ମିନତି ହୋଇଥିଲେ ସୁଦ୍ଧା ସେ ଛାଡିନଥିଲେ । ବରଂ କହିଥିଲେ କି ୧୦୦ଥର ବସ ଉଠ ନହେଲେ ଲୋକମାନେ ମାଡ ମାରିବେ । ଏହାପରେ ବସ ଉଠ ହୋଇଥିଲେ ଜେଇ ।
ବସ ଉଠ ହେବା ପରଦିନ ଜେଇ ଘରେ ନପହଁଞ୍ଚିବା ପରେ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ବିଧାୟକ ତାଙ୍କୁ ଅପହରଣ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ତେବେ ତାଙ୍କୁ ପୋଲିସ ଉଦ୍ଧାର କରି ଘରେ ଛାଡିବା ପରେ ମଧ୍ୟ ଅଭିଯୋଗ ହୋଇଥିଲା । ଜାତିକୁ ନେଇ ଆକ୍ଷେପ କରିଥିବା ଏବଂ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।
ଆଦିବାସୀ ସଂଘ ଏବଂ ଡିପ୍ଳୋସା ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା । ବିଧାୟକଙ୍କ ଗିରଫ ଦାବି କରି ଆନ୍ଦୋଳନ ମଧ୍ୟ କରିଥିଲେ । ଆଦିବାସୀ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ସହିତ ବିଧାନସଭା ଘେରାଉ କରିବା ପାଇଁ ଚେତାବନୀ ଦିଆଯାଇଥିଲା । ଏହାପରେ ପୋଲିସ ସରୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।