ଫୁଲବାଣୀ (ଏଟିଆର ବ୍ୟୁରୋ); ରାଜ୍ୟରେ ବିଜେଡି ଶାସକ ଦଳରେ ଥିବାରୁ ସବୁ ନେତାମାନେ ପ୍ରାୟ ଆଶା ରଖିଛନ୍ତି କି ବିଜେଡି ପୁଣି ଥରେ ସରକାର ଗଢ଼ିବ । ଏଣୁ ଦଳୀୟ ଟିକେଟ ହାତେଇବା ପାଇଁ କଳ ଏବଂ ବଳ ପ୍ରୟୋଗ କରିବାରେ ଲାଗିଛନ୍ତି ଆଶାୟୀ ପ୍ରାର୍ଥୀ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ଏଭଳି ବିଜେଡି ଟିକେଟ ରେସ ଲାଗିଥିବା ବେଳେ ଆମେ କିଛି ନିର୍ବାଚନ ମଣ୍ଡଳୀର ବିଜେଡି ଟିକେଟ ରେସ ପୂର୍ବରୁ ଖବର ପ୍ରସାରଣ ମଧ୍ୟ କରିଛୁ । ଏବେ ପୁଣି ଏକ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡି ଟିକେଟ ପାଇଁ ଲାଗିଛି ଲମ୍ବା ରେସ । କିଏ ହାଇକଣ୍ଡଙ୍କ ପାଖରେ ଡେରା ପକାଇଲାଣି ତ ଆଉ କିଏ ଆଗୁଆ ଘର ଘର ବୁଲି ଲୋକ ସମ୍ପର୍କ ବଢ଼ାଇ ଦଳୀୟ ଟିକେଟ ହାତେଇବା ପାଇଁ ଛେଷ୍ଟା ଆରମ୍ଭ କରିଦେଇଛି ।
କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆସନଟି ଆଦିବାସୀଙ୍କ ପାଇଁ ଉଦିଷ୍ଟ ରହିଛି । ଏବେ ଏଠାରେ ବିଧାୟକ ଭାବେ କାମ କରୁଛନ୍ତି ଦୁଗୁନି କହଁର । ତେବେ ସେ ପୁଣିଥରେ ଟିକେଟ ପାଇଁ ଲବି କରୁଥିବା ବେଳେ ଆହୁରି କିଛି ପ୍ରାର୍ଥୀ ଟିକେଟ ଆଶାରେ ଅଡି ବସିଛନ୍ତି । ତେବେ ଏଠାରେ ବିଜେଡି ଟିକେଟ ରେସରେ ରହିଛନ୍ତି ର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ନଗରପାଳ ରାଜେନ୍ଦ୍ର କହଁର, ଖଜୁରିପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବୀରେନ୍ଦ୍ର କହଁରଙ୍କ ବି ପ୍ରାର୍ଥୀ ଦୌଡରେ ଅଛନ୍ତି । ଜିଲ୍ଲା ପରିଷଦ ସଦସ୍ୟା ଜୟଶ୍ରୀ କହଁର,ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲାଲନନ୍ଦ ପ୍ରଧାନ ମଧ୍ୟ ଆଶାୟୀ ଥିବା କୁହାଯାଉଛି। ଯଦି ମହିଳାଙ୍କ ପାଇଁ ସଂରକ୍ଷଣ ନିଷ୍ପତ୍ତି ନିଆଯାଏ , ତେବେ ବିଜେଡି ମହିଳା ଜିଲ୍ଲା ସଭାନେତ୍ରୀ ଅନିମା କହଁରଙ୍କ ନାଁ ବିଜେଡି ଆଶାୟୀ ପ୍ରାର୍ଥୀ ତାଲିକାରେ ଯୋଡ଼ି ହେଉଥିବା ଚର୍ଚ୍ଚା ହେଉଛି ।
ତେବେ ଏତେ ସାରା ଆଶାୟୀ ପ୍ରାର୍ଥୀ ଥିବା ବେଳେ କିଏ ଟିକେଟ ପାଇବ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଭୋଟରଙ୍କ ମନ ମୋହିବା ପାଇଁ ସମସ୍ତେ ଲାଗିପଡିଛନ୍ତି । ଏଣୁ ଏଠାରେ କିଏ ଟିକେଟ ପାଇବ ତାହା ସମୟ ଏବଂ ଦଳର ସୁପ୍ରିମୋଙ୍କ ଉପରେ ନିର୍ଭର କରେ । ସେପଟେ ବିଜେଡି ଭଳି ବିଜେପି ଏବଂ କଂଗ୍ରେସରେ ମଧ୍ୟ ମାଳ ମାଳ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଏହି ଆସନଟି ଦୀର୍ଘଦିନ ହେବ ବିଜେଡି କବଜାରେ ରହିଥିବାରୁ ଏଥର ହାତରୁ ଛଡାଇ ଆଣିବା ପାଇଁ ବିରୋଧୀମାନେ ନୂଆ ଗେମପ୍ଳାନ କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏଠାରେ ଜନତା କାହାକୁ ନିଜର ମତାମତ ଦେବେ ତାହା ସମୟ କହିବ ।