ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଏବଂ ୪୧ ବିଧାନସଭା ପାଇଁ ଚାଲିଛି ଭୋଟ । ତେବେ ଜନତାଙ୍କ ମେଳରେ ନିଜର ବହୁମୂଲ୍ୟ ଭୋଟ ଦେଇଛନ୍ତି ହେବିୱେଟ ନେତା । ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ନେତାମାନେ ମଧ୍ୟ ଭୋଟ ଦେବା ପାଇଁ ସାମିଲ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଆଜି କେଉଁ ନେତାମାନେ କରିଛନ୍ତି ମତଦାନ ।
ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ହେବିୱେଟ ମଧ୍ୟରେ ମତଦାନ କରିଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ଅନନ୍ତ ଦାସ-ଭୋଗରାଇ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ।ସକାଳୁ ପରିବାର ସହ ମତଦାନ କରିଛନ୍ତି ଅନନ୍ତ । ପ୍ରତାପ ଦେବ-ଆଳି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ । ପୂର୍ବ ନିର୍ବାଚନରେ ସେ ହାରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇଥିଲା । ପ୍ରଣବ ପ୍ରକାଶ ଦାସ-ଯାଜପୁର ରାଜନୀତିର ଚର୍ଚ୍ଚିତ ଚେହେରା । ଚଳିତ ବର୍ଷ ମଧ୍ୟ ସେ ଯାଜପୁରରୁ ନିର୍ବାଚନ ଲଢ଼ୁଛନ୍ତି । ଆଜି ନିଜର ମତଦାନ କରିଛନ୍ତି ବବି ।ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ବି ମତଦାନ କରିସାରିଥିବା ଜଣାଯାଇଛି। ବିଜେପି ବିଧାନସଭା ପ୍ରାର୍ଥୀ ଗୌତମ ରାୟ ଏବଂ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ନନ୍ଦ ପ୍ରମୁଖ ବି ଭୋଟ୍ ଦେଇଛନ୍ତି।
ମୟୁରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିପଦାର ବୁଥ୍ ନଂ-୩୪ରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଏବଂ ବିଜେଡିର ବିଧାନସଭା ପ୍ରାର୍ଥୀ ସରୋଜିନୀ ହେମ୍ରମ୍ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଠିକ୍ ସେହିପରି ମୟୁରଭଞ୍ଜ ଲୋକସଭା ବିଜେଡିର ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ମଧ୍ୟ ବାରିପଦାର ୨୬ ନଂ ଓ୍ଵାର୍ଡରେ ଭୋଟ୍ ଦେଇଛନ୍ତି। କଂଗ୍ରେସ ଜଗତସିଂହପୁର ଚିରଂଜୀବି ବିଶ୍ୱାଳ ମଧ୍ୟ ନିଜ ପରିବାରବର୍ଗଙ୍କ ସହ ଲମ୍ବା ଲାଇନରେ ଛିଡା ହେବା ସହ ଭୋଟ ଦେଇଛନ୍ତି ।
କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ପତ୍ନୀଙ୍କ ସହ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଠିକ୍ ସେହି କେନ୍ଦ୍ରାପଡ଼ାର କଂଗ୍ରେସ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରା ବି ଭୋଟ୍ ଦେଇଛନ୍ତି।