ଗଞ୍ଜାମ (ଏଟିଆର ବ୍ୟୁରୋ); ଉଜ୍ଜଳାକୁ ନେଇ ଅଭିନବ ଉପାୟରେ ପ୍ରଚାର କଲେ ବିଜେପିରେ ମିଶିଥିବା ଦୁଇ ଅଭିନେତ୍ରୀ ମହାଶ୍ୱେତା ଏବଂ ପିଙ୍କି । ଉଭୟ ନିଜେ ଉଜ୍ଜଳା ଗ୍ୟାସରେ ରୋଷେଇ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସାଉଁୟୋଠାରେ ଉଜ୍ଜଳା ସ୍ୱାଭିମାନ ଉତ୍ସବ ପାଳନ ହେଉଥିଲା । ଏଣୁ ଏଠାରେ ଏକ ରୋଷେଇ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ଉଭୟ ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ମହାଶ୍ୱେତା ଏବଂ ପିଙ୍କି ରୋଷେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମହିଳାଙ୍କ ସହିତ ସିଧାସଳଖ ଭିଡିଓ କନଫରେନ୍ସରେ କଥା ହୋଇଥିଲେ ।
ରୋଷେଇ ରାଣୀ ଉତ୍ସବରେ ରୋଷେଇ କରିଥିବା ଦୁଇ ନେତ୍ରୀଙ୍କ ରୋଷେଇ ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଉଭୟ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ଉଜ୍ଜଳାକୁ ଅଭିନବ ଉପାୟରେ ପ୍ରଚାର କରିଥିଲେ । ଉଜ୍ଜଳା ଯୋଜନାରେ ନାରୀଙ୍କୁ ସମ୍ମାନ ଦେବା କଥା କୁହାଯାଉଛି । ଏହି ଯୋଜନା ଆସିବା ପରେ ମହିଳାମାନେ ଚୁଲିରେ ରୋଷେଇ କରୁନାହାଁନ୍ତି । ଚୁଲିରେ ଜାଳରେ ଅଧିକାଂଶ ସମୟରେ ନିଆଁ ଲାଗୁଥିବା ବେଳେ ଧୂଆଁ ମହିଳାଙ୍କ ରୋଗର କାରଣ ମଧ୍ୟ ହେଉଥିଲା । ଏଣୁ ଉଜ୍ଜଳା ଯୋଜନା ଆସିବା ପରେ ମହିଳାମାନେ ବହୁତ ଖୁସି ଅଛନ୍ତି ବୋଲି କହିଛି ବିଜେପି । ସେପଟେ ପଞ୍ଚାୟତ ନିର୍ବାଚନ ପୂବଠାରୁ ନିୟମିତ ଭାବରେ ପିଙ୍କି ଗଞ୍ଜାମ ଗସ୍ତରେ ଯାଉଛନ୍ତି ।
ପିଙ୍କିଙ୍କ ଘର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ହୋଇଥିବାରୁ ସେ ହିଞ୍ଜିଳରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ସେ ଯଦି ଏଠାରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ତେବେ ସେ ନବୀନଙ୍କ ପ୍ରତିଦ୍ୱନ୍ଦୀ ହେବେ । ଏଣୁ ସମସ୍ତଙ୍କ ନଜର ଏହି ନିର୍ବାଚନ ମଣ୍ଡଳୀ ଉପରେ । ସେପଟେ ଉଜ୍ଜଳା ଗ୍ୟାସରେ ବହୁ ମହିଳାଙ୍କ ଜୀବନ ଯାଇଥିବାର ନଜିର ରହିଛି । ବହୁ ସମୟରେ ଉଜ୍ଜଳା ଗ୍ୟାସ ଫାଟି ଜୀବନ ମଧ୍ୟ ଯାଇଛି । ଏଣୁ ଉଜ୍ଜଳା ଯୋଜନାକୁ ବିରୋଧ କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେଡି । ଗ୍ୟାସ ରେଟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଖାଲି ଟାଙ୍କୀ ଦେଇଦେଲେ କଣ ହେବ । ସାଧାରଣ ଲୋକ ଗ୍ୟାସ ଭର୍ତ୍ତି କଲା ବେଳକୁ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି ।