ଭୁବନେଶ୍ୱର (ଏଟିଆର ବ୍ୟୁରୋ);ଚାଲିଛି ଦଳ ବଦଳ ରାଜନୀତି । ଆଜି ବିଜେପିରେ ଯୋଗ ଦେଇ ପାରନ୍ତିି ସାଲେପୁର ବିଧାୟକ ପ୍ରକାଶ ବେହେରା । ଏବେ ପ୍ରକାଶ ଦିଲୀରେ ଅଛନ୍ତି । ଗତକାଲି ଦିନରେ ବିଧିବଦ୍ଧ ଭାବରେ କଂଗ୍ରେସରୁ ଇସ୍ତଫା ଦେବା ପରେ ସଂନ୍ଧ୍ୟାରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ପ୍ରକାଶ । ତେବେ ଆଜି ସେ ଦିଲ୍ଲୀ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ତେବେ ପ୍ରକାଶ ଯଦି ବିଜେପିରେ ଯୋଗ ଦିଅନ୍ତି ତେବେ ସାଲେପୁରରେ ବିଜେପିର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି । ନିର୍ବାଚନ ମଣ୍ଡଳୀରେ ତାଙ୍କର ଭଲ ଦବଦବା ରହିବା ସହିତ ଲୋକ ସମ୍ପର୍କ ମଧ୍ୟ ଭଲ ରହିଛି । ଯାହାକି ବିଜେପି ପାଇଁ ପ୍ଳସ ପଏଣ୍ଟ ହେବ ବୋଲି ଅନୁମାନ କରାଯାଇଛି ।
ପ୍ରକାଶଙ୍କ ପୂର୍ବରୁ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଦାମବାବୁ ଏବଂ ବଳଭଦ୍ର ମାଝୀଙ୍କ ଭଳି ନେତା ମଧ୍ୟ ଦିଲ୍ଲୀ ଯାଇ କେନ୍ଦ୍ରୀୟ ପାର୍ଟି ଅଫିସରେ ଦଳରେ ଯୋଗ ଦେଇଛନ୍ତି । ଏଣୁ ପ୍ରକାଶ ଦିଲ୍ଲୀ ଗସ୍ତରେ ଯିବା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା । ସେ ଆଜି ସଂନ୍ଧ୍ୟା ଭିତରେ ପଦ୍ମ ପୋଖରୀରେ ବୁଡ ପକାଇବେ । ଏବେ ଦଳ ବଦଳ ପର୍ବ ଚାଲିଥିବାରୁ ଏହା କିଛି ଅସମ୍ଭବ ନୁହେଁ । ତେବେ ସମୟକୁ ଅପେକ୍ଷା ।
କଂଗ୍ରେସରେ ଦୀର୍ଘ ୨୦ ବର୍ଷ କାମ କରିଥିଲେ ସୁଦ୍ଧା ପ୍ରକାଶଙ୍କୁ ଦଳ ଅବହେଳା କରିଥିଲା ଏବଂ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି । ଦଳର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଗୁରୁତ୍ୱ ଦିଆଯାଉନଥିଲା । ଏଣୁ ସେ ଦୁଇ ବର୍ଷ ହେବ ଦଳୀୟ କାର୍ଯ୍ୟକ୍ରମରୁ ଦୂରେ ରହୁଥିଲେ । ଏମିତିକି ନିକଟରେ କରିଥିବା ଏକ ରାଲିରେ ସେ ଦଳୀୟ ବ୍ୟାନର ମଧ୍ୟ ବ୍ୟବହାର କରିନଥିଲେ । ଏହାପରଠାରୁ ସ୍ପଷ୍ଟ ହୋଇ ଯାଇଥିଲା କି ପ୍ରକାଶ ଦଳ ଛାଡିବା ଏକପ୍ରକାର ଠିକ ହୋଇଯାଇଛି । ଗତକାଲି ଏହା ପ୍ରମାଣିତ ହୋଇଥିଲା । ଏବଂ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।