ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଆସନ୍ତା ଅଗଷ୍ଟ ୭ ତାରିଖରେ କୋର୍ଟରେ ହାଜର ହେବେ । ଭୁବନେଶ୍ୱର ଏଡିଜେ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରାଯାଇଛି । ତାଙ୍କ ନାମରେ ଥିବା ଦୁଇଟି ମାମଲାର ଶୁଣାଣି ହେବ । ତେବେ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ସମନ ଜାରି ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।
୨୦୦୪ ମସିହାରେ ବାଲେଶ୍ୱର ଜିଲ୍ଲା ଗୋପିନାଥପୁର ଅଞ୍ଚଳରେ ଏକ ଗୋଷ୍ଠୀ କନ୍ଦଳ ହୋଇଥିଲା । ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ପୋଡାଜଳା ମଧ୍ୟ ହୋଇଥିଲା । ଏହି ପୋଡାଜଳାରେ ଆଦିବାସୀ ଠାକୁରଙ୍କ ମୂର୍ତ୍ତି ପୋଡିଯାଇଥିଲା । ତେବେ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗରେ ପ୍ରତାପଙ୍କ ନାମ ରହିଥିଲା । ୨୦୧୧ ମସିହାରେ ଏକ ମନ୍ଦିର ଟ୍ରଷ୍ଟ କାର୍ଯ୍ୟକ୍ରମରେ ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିଲେ ପ୍ରତାପ ଷଢ଼ଙ୍ଗୀ । ଏହି ଦୁଇଟି ମାମଲା ବହୁଦିନ ବହୁଦିନ ହେବ ବିଚାରାଧିନ ଥିଲା ।
ତେବେ ଗତକାଲି ପ୍ରତାପ ଷଢ଼ଙ୍ଗୀଙ୍କୁ ନୋଟିସ ହୋଇଥିଲା । କିନ୍ତୁ ସେ ପହଁଞ୍ଚି ନପାରିବାରୁ ଆସନ୍ତା ଅଗଷ୍ଟ ୭ ତାରିଖରେ ପୁଣିଥରେ ହାଜର ହେବା ପାଇଁ ସମନ ଜାରି କରାଯାଇଛି । ରାଜ୍ୟରୁ ନିର୍ବାଚିତ ହୋଇଥିବା ୮ଜଣ ବିଜେପି ସାଂସଦଙ୍କ ମଧ୍ୟରୁ ମୋଦି ନିଜର ମନ୍ତ୍ରୀ ମଣ୍ଡଳରେ ପ୍ରତାପ ଷଢ଼ଙ୍ଗୀଙ୍କୁ ନେଇଥିଲେ । ମନ୍ତ୍ରୀ ହେବା ପରେ ସୋସିଆଲ ମିଡିଆରେ ହିରୋ ପାଲଟି ଯାଇଥିଲେ ନନା । ନ୍ୟାସନାଲ ଚ୍ୟାନେଲରେ ମଧ୍ୟ ତାଙ୍କୁ ନେଇ ଖବର ପ୍ରସାରଣ କରାଯାଇଥିଲା ।