ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବାଲେଶ୍ୱରରେ କାମ ଦେଲା ମୋଦି ଲହର । ଦୁଇ ବିରୋଧୀ କୋଟିପତି ପ୍ରାର୍ଥୀଙ୍କୁ ହରାଇ ବାଜିମାରିଲେ ବିଜେପି ପ୍ରାର୍ଥୀ ପ୍ରତାପ ଷଢ଼ଙ୍ଗୀ । ଜଣେ ଭଦ୍ର ଏବଂ ନିସ୍ୱାର୍ଥପର ନେତା ଭାବରେ ରାଜ୍ୟ ରାଜନୀତିରେ ସେ ବେଶ ଚର୍ଚ୍ଚିତ ଚେହେରା । ଯାହାର ଉଚିତ ଉପହାର ଦେଇଛନ୍ତି ବାଲେଶ୍ୱର ବାସୀ । ତେବେ ପ୍ରତାପଙ୍କ ବିଜୟ ପରେ ବେଶ ଖୁସି ଅଛନ୍ତି ବିଜେପି କର୍ମୀ ।
ବାଲେଶ୍ୱର ଲୋକସଭା ଆସନରେ ତିନି ପ୍ରମୁଖ ରାଜନୈତିକ ଦଳର ହେବିୱେଟଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ବିଜେଡି ପକ୍ଷରୁ କୋଟିପତି ପ୍ରାର୍ଥୀ ରବିନ୍ଦ୍ର ଜେନା ନବୀନଙ୍କ ସିପାହୀ ହୋଇ ବାହାରିଥିବା ବେଳେ କଂଗ୍ରେସ ପକ୍ଷରୁ ପିସିସି ସଭାପତିଙ୍କ କୋଟିପତି ପୁଅ ନବଜୋତି ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ରବିନ୍ଦ୍ର ଜେନାଙ୍କ ସମ୍ପତି ୬୦ କୋଟିରୁ ଅଧିକ ଥିବା ବେଳେ ନବଜୋତିଙ୍କ ସମ୍ପତି ୧୦୦ କୋଟିରୁ ଅଧିକ । ଦୁଇ କୋଟିପତିଙ୍କ ମଧ୍ୟରେ ପ୍ରତାପ ହଜିଯିବେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଶେଷରେ ସ୍ୱାଭୀମାନୀ ପ୍ରତାପଙ୍କ ବିଜୟ ହୋଇଥିଲା ।
ରାଜ୍ୟରେ ବିଜେପି ହାସଲ କରିଥିବା ୮ଟି ଲୋକସଭା ଆସନ ମଧ୍ୟରୁ ବାଲେଶ୍ୱର ଆସନରେ ଜୋରଦାର ଲଢ଼େଇ ହୋଇଥିଲା । କେତେବେଳେ ପ୍ରତାପ ଲିଡ କରୁଥିଲେ ତ ଆଉ କେତେବେଳେ ରବିନ୍ଦ୍ର । ତେବେ ଲଢ଼େଇରେ ପଛରେ ପଡିରହିଥିଲେ ନବଜୋତି ପଟ୍ଟନାୟକ । ଶେଷରେ ରବିନ୍ଦ୍ର ଏବଂ ପ୍ରତାପଙ୍କ ଲଢ଼େଇରେ ବିଜେପିର ଜୟ ହୋଇଥିଲା । ଏହି ବିଜୟ ଏକ ବଡ ବିଜୟ ।