ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡିକୁ ବାଏ ବାଏ କହିଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ତେବେ ସେ କଂଗ୍ରେସରେ ଯୋଗ ଦେବେ ଏବଂ ନୟାଗଡ ଆସନରୁ ଲଢ଼ିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚା ଚର୍ଚ୍ଚାରେ ହିଁ ରହିଗଲା । କାରଣ ପ୍ରତ୍ୟୁଷାଙ୍କ ମନ ବଦଳିଗଲା ଏବଂ ସେ କଂଗ୍ରେସକୁ ନଯାଇ ବିଜେପି ମୁହାଁ ହେଲେ । ଫଳରେ ନୟାଗଡ ଆସନ ପାଇଁ ବିଜେପି ଇରାନୀ ରାୟଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରି ସାରିଛି । ଏଣୁ ନୟାଗଡ ଆସନ ଚଳିତ ନିର୍ବାଚନରେ ତାଙ୍କ ପାଇଁ ସ୍ୱପ୍ନ ହୋଇ ଯାଇଛି । ନୟାଗଡରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିଲା ଏଣୁ ସେ ଦଳରେ ଯୋଗ ଦେଇଥିଲେ ପ୍ରାର୍ଥୀ ହୋଇଥାନ୍ତେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ସେ ବିଜେପିରେ ଯୋଗ ଦେଲା ପରେ ସମୀକରଣ ବଦଳି ଯାଇଛି ।
ବିଜେପି କନ୍ଧମାଳରେ କୌଣସି ପ୍ରାର୍ଥୀ ଘୋଷଣା କରିନାହିଁ । ପୂର୍ବରୁ ଚର୍ଚ୍ଚା ହେଉଥିଲା କି ଏଠାରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଲଢ଼ିବେ ବୋଲି । କିନ୍ତୁ ଏବେ ପ୍ରତ୍ୟୁଷା ବଳରେ ଯୋଗ ଦେବା ପରେ ସେ ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳୁଛି । ବିଜେଡି ଏଠାରେ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିସାରିଛି । ଏଣୁ ଅଚ୍ୟୁତଙ୍କ କଡା ଟକ୍କର ଦେବା ପାଇଁ ପ୍ରତ୍ୟୁଷା ହିଁ ପ୍ରକୃତ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ରାଣୀ ସଂସଦୀୟ କ୍ଷେତ୍ରରେ ଭଲ ଲୋକ ସମ୍ପର୍କ ରଖିଛନ୍ତି । ଅପରପକ୍ଷରେ ଅଚ୍ୟୁତ କେବେ ଏଠାକୁ ଆସିନଥିବା ବେଳେ ପ୍ରାର୍ଥୀ ହୋଇଥିବାରୁ ସେ ଉଡା ଚଢ଼େଇ ବୋଲି ମଧ୍ୟ କେତେକ ଲୋକ ଇଙ୍ଗିତ କରୁଥିବା ଦେଖିବାକୁ ମିଳୁଛି । ଏଣୁ ପ୍ରତ୍ୟୁଷା ବିଜେପି ଯୋଗ ଦେବା ପରେ ସେ ହିଁ ଏଠାରେ ଯୋଗ୍ୟ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି ।