ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ସବୁଠି ଆରମ୍ଭ ହୋଇଯାଇଛି ଅଙ୍କକଷା । ସବୁ ଦଳରେ ହେବିୱେଟଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ତେବେ ଜଗନ୍ନାଥ ଧାମ ପୁରୀ ଲୋକସଭା ଆସନରେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ମହାଲଢ଼େଇ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏଠାରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଦୁଇ ଦୁଇଥର ସାଂସଦ ହୋଇଥିବା ପିନାକୀ ମିଶ୍ର । ବିଜେପି ପିନାକୀଙ୍କ ସାମ୍ନା କରିବା ପାଇଁ ସମ୍ବିତ ପାତ୍ରଙ୍କ ଭଳି ଟାଣୁଆ ନେତାଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ଦୁଇ ଦଳ ହେବିୱେଟଙ୍କୁ ଟିକେଟ ଦେବା ପରେ ଆଜି କଂଗ୍ରେସ ଗଣମାଧ୍ୟମ ପ୍ରତିନିଧିରୁ ରାଜନୀତିରେ ପାଦ ଥାପିଥିବା ସତ୍ୟ ପ୍ରକାଶ ନାୟକଙ୍କୁ ଟିକେଟ ଦେଇଛି ।
ପୁରୀ ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ତିନି ନେତାଙ୍କ ଓଡିଶା ରାଜନୀତିରେ ବେଶ ନାମ ରହିଛି । ଏଣୁ ଏହି ଆସନରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ଦୁଇ ଦୁଇ ଥର ସାଂସଦ ହେବା ପରେ ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ ରହିଛନ୍ତି ପିନାକୀ ମିଶ୍ର । ତେବେ ପିନାକୀଙ୍କ ନୂଆ ରେକର୍ଡରେ ବ୍ରେକ ଲଗାଇବା ପାଇଁ ଦୁଇ ବିରୋଧୀ ନେତା ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ଜନତା କାହା ଉପରେ ଭରଷା କରି ଭୋଟ ଦେବେ ତାଉପରେ ସମସ୍ତଙ୍କ ନଜର । ସତ୍ୟପ୍ରକାଶ ନାୟକ ପ୍ରଥମଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଉଥିବାରୁ ଏହି ନିର୍ବାଚନ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।