ନୟାଗଡ (ଏଟିଆର ବ୍ୟୁରୋ); ପ୍ରାର୍ଥୀ ଘୋଷଣା ହେବା ପରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ଦିଲ୍ଲୀରୁ ପଲ୍ଲୀ ସବୁଠି ବହୁଛି ନିର୍ବାଚନୀ ହାୱା । ତେବେ ନୟାଗଡ ଜିଲ୍ଳା ରଣପୁର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ରଣହୁଙ୍କାର । ତିନି ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ନିର୍ବାଚନ ମଣ୍ଡଳୀର ସମୀକରଣ ଧିରେ ଧିରେ ବଦଳିବାରେ ଲାଗିଛି । ଗତକାଲି ବିଜେଡି ସତ୍ୟନାରାୟଣ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ଦଳ । ରଣପୁର ବିଧାୟକ ବାଦଲଙ୍କ ଲୋକ ପ୍ରିୟତା ନିର୍ବାଚନ ମଣ୍ଡଳୀରେ ଭଲ ରହିଥିବା ବେଳେ ଏଥରକ ତାଙ୍କୁ ଫରକ ପଡିପାରେ ବୋଲି ଶୁଣିବାକୁ ମିଳୁଛି ।
ବିଜେପି ବରିଷ୍ଟ ନେତ୍ରୀ ସୁରମା ପାଢ଼ୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ମିଲି ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଦୁଇଜଣ ବରିଷ୍ଟ ନେତ୍ରୀଙ୍କୁ ବିରୋଧୀ ପ୍ରାର୍ଥୀ କରିଥିବାରୁ ବିଜେଡିକୁ ଚଳିତ ନିର୍ବାଚନରେ ଅସୁବିଧା ହୋଇପାରେ ବୋଲି ରାଜନୈତିକ କହଲରେ ଚର୍ଚ୍ଚା ହେଉଛି । ଗତ ନିର୍ବାଚନରେ ବାଦଲ ସହଜରେ ବିଜୟ ହୋଇଥିଲେ ସୁଦ୍ଧା ଏଥରକ ମହଙ୍ଗା ପଡିପାରେ । କାରଣ ବିରୋଧୀମାନେ ଧିରେ ଧିରେ ନିର୍ବାଚନ ମଣ୍ଡଳୀରେ କାୟା ବିସ୍ତାର କରିବାରେ ଲାଗିଛନ୍ତି । ବିଜେପି ସୁରମା ପାଢ଼ୀଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ଅପରପକ୍ଷରେ ସୁରମାଙ୍କ ଭଲ ଲୋକ ପ୍ରିୟତା ଥିବା ବେଳେ କେନ୍ଦ୍ର ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟକୁ ଅସ୍ତ୍ର କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ମିଲି ପଣ୍ଡା ମଧ୍ୟ ନିଜୟ କାୟା ବିସ୍ତାର କରିଛନ୍ତି । ଗତ ନିର୍ବାଚନରେ ସେ ଆମ ଓଡିଶା ପକ୍ଷରୁ ନିର୍ବାଚନ ଲଢ଼ିଥିଲେ ।