ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିକଟରେ ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ୧୪୬ ବିଧାନସଭା ଏବଂ ୨୧ ଲୋକସଭା ପାଇଁ ମତଦାନ ସରିଛି । ତେବେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ କେତେକ ବୁଥରେ ଇଭିଏମ,ଭିଭିପାଟରେ ଯାନ୍ତ୍ରିକ ତୃଟି ହୋଇଥିବା ବେଳେ ଆଉ କେତେକ ବୁଥରେ ଗଣ୍ଡଗୋଳ ପାଇଁ ମତଦାନ ବନ୍ଦ ରହିଥିଲା । ଏହି ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ବାକିଥିବା ୩୪ଟି ବୁଥରେ ଆସନ୍ତା ୧୯ ତାରିଖରେ ସାନି ମତଦାନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନିର୍ଦ୍ଦେଶ ଦେଇଛନ୍ତି ।
୧୯ ତାରିଖରେ ହେବାକୁ ଥିବା ସାନିମତଦାନରେ ନିୟୋଜିତ ହେବାକୁ ଥିବା ପୁଲିଂ କର୍ମଚାରୀମାନେ ଆସନ୍ତା ୧୩ ଏବଂ ୧୪ ତାରିଖରେ ଟ୍ରେନିଂ ନେବେ । ତେବେ ସାନିମତଦାନ ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯିବ ବୋଲି ଶୁଣିବାକୁ ମିଳିଛି । ‘ଫୋନି’ ମାଡରେ ରାଜ୍ୟ ରାଜନୀତି ପାଣିପାଗ ଟିକେ ଚହଲି ଯାଇଥିବା ବେଳେ ସାନି ମତଦାନ ତାରିଖ ଘୋଷଣା ହେବା ପରେ ପୁଣିଥରେ ଚଳଚଞ୍ଚଳ ହୋଇ ଉଠିବ ରାଜ୍ୟ ରାଜନୀତି ।
ତେବେ ୧୯ ତାରିଖରେ ହେବାକୁ ଥିବା ସାନି ମତଦାନରେ ଯାଜପୁର ଜିଲ୍ଲାର ବରି ନିର୍ବାଚନ ମଣ୍ଡଳୀର ୫ଟି ବୁଥରେ ସାନି ମତଦାନ ହେବ । ଏହା ପଛକୁ ମାହାଙ୍ଗା,ବାରିପଦା ଏବଂ ଆଠଗଡ ନିର୍ବାଚନ ମଣ୍ଡଳୀରେ ୪ଟି ଲେଖାଏଁ ବୁଥରେ ସାନି ମତଦାନ ହେବାକୁ ଯାଉଛି । ଏହି ସାନି ମତଦାନ ମଧ୍ୟ କେତେକ ନେତାଙ୍କ ଭାଗ୍ୟକୁ ବଦଳାଇ ଦେଇପାରେ ବୋଲି ଅନୁମାନ କରାଯାଉଛି ।