ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବିବାଦୀୟ ମନ୍ତବ୍ୟ ଦେଇ ହରଡ଼ ଘଣାରେ ପଡିଥିବା ପ୍ରଦୀପ ମହାରଥୀ ଶେଷରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କୃଷୀ ଓ ପଞ୍ଚାୟତୀରାଜ ମନ୍ତ୍ରୀ ଥିବା ପ୍ରଦୀପ ମହାରଥୀ ପିପିଲି ବେବିନା ମୃତ୍ୟୁ ଘଟଣାରେ ନିଜ ତୁଣ୍ଡ ଖୋଲି ବିବାଦ ଘେରକୁ ଆସିଥିଲେ । କୋର୍ଟଙ୍କ ରାୟ ପରେ ପ୍ରଦୀପ ମହାରଥୀ କହିଥିଲେ ଯେ, ସତ୍ୟର ଜୟ ହୋଇଛି ଓ ପୀଡିତାଙ୍କୁ ନ୍ୟାୟ ମିଳିଛି ।
ବାସ ମନ୍ତ୍ରୀଙ୍କ ଏଭଳିି ବୟାନକୁ ନେଇ ଆରମ୍ଭ ହୋଇଥିଲା ତୁମ୍ବିତୋଫାନ । ପୂରା ରାଜନୀତି ସରଗରମ ହୋଇଥିଲା । ରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ । ରାଜ ରାସ୍ତାରେ ବିକ୍ଷୋଭ ସହ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବି ଜୋର ଧରିଥିଲା । ଏପରିକି ନିକଟରେ କଂଗ୍ରେସ ପକ୍ଷରୁ ମଧ୍ୟ ତାଙ୍କ ବାସଭବନ ଉପରକୁ ଟମାଟୋ ମାଡ଼ କରାଯାଇଥିଲା ।
ପରିସ୍ଥିତି ବିଗୁଡିଥିବା ବେଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଲାଗି ଚାପ ବି ପଡିଥିଲା । ଫଳରେ ବାଧ୍ୟ ହୋଇ ଆଜି ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି । କେବଳ ଏତିକି ନୁହେଁ ଗତକାଲି ମଧ୍ୟ ବାରିପଦା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଂଗ ଉଠାଇଥିଲେ । ସୂଚନାଯୋଗ୍ୟ, ଠିକ ଅନୁରୂପ ଭାବେ ଏଭଳି ବୟାନ ଦେଇ ୨୦୧୨ରେ ମଧ୍ୟ ମନ୍ତ୍ରୀପଦ ହରାଇଥିଲେ ପ୍ରଦୀପ ।