ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ସରିବା ପରେ ନେତାମାନେ ନିଜର ପ୍ରତିଶୃତି ଭୁଲିଯାଇଥାନ୍ତି । ଯେଉଁ ଭୋଟରମାନେ ତାଙ୍କୁ ଜିତାଇଛନ୍ତି ସେମାନଙ୍କ କଥା ମନେ ରହେନି । ତେବେ ଏମିତି କିଛି ନେତା ଅଛନ୍ତି ଯେଉଁମାନେ ଜିତିବା ପରେ ମଧ୍ୟ ଲୋକଙ୍କ ସୁବିଧା ଅସୁବିଧାରେ ଛିଡା ହୋଇଥାନ୍ତି । ଏଭଳି ଦୁଇ ଜଣ ନେତା ଆଜି ନଜରକୁ ଆସିଛନ୍ତି । ଜଣେ ହେଉଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀ ଏବଂ ଆଉ ଜଣେ ହେଉଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ।
ବିଧାୟକ ରାସ୍ତାରେ କୋଦାଳ ଧରି ମାଟି ପକାଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ମନ୍ଦିର ପରିସର ସଫା କରିଛନ୍ତିି । ବିଧାୟକ ହେଲେ ମଧ୍ୟ ହାତରେ କୋଦାଳ ଧରି ମୋରମ ପକାଇ ରାସ୍ତାକୁ ଯାତାୟତ ଉପଯୋଗୀ କରିବାକୁ ଉଦ୍ୟମ କରିଛନ୍ତି ।ଝିପ୍ ଝିପ୍ ବର୍ଷାରେ ମୁଣ୍ଡରେ ପଗଡି ବାନ୍ଧି ହାତରେ କୋଦାଳ ଧରି କାଦୁଅ ମାଟି ରାସ୍ତାକୁ ସମତୁଲ କରିଥିଲେ ବିଧାୟକ ।ପାପଡାହାଣ୍ଡି ବ୍ଲକ କଂଟାସରରୁ ଜବାଗୁଡାକୁ ଯାଉଥିବା ବେଳେ ବାଟରେ ପଡିଥିଲା ଏପରି କାଦୁଅ ରାସ୍ତା । ଏହି ରାସ୍ତାରେ ଗାଡି ଯିବା ସମ୍ଭବ ହୋଇନଥିଲା ।ଯାହାକୁ ନିଜେ କୋଦାଳ ଧରି ଠିକ କରିଛନ୍ତି ବିଧାୟକ ।
ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ପର୍ୟ୍ୟଟନସ୍ଥଳ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ କରିବାକୁ ଆଗେଇ ଆସିଛନ୍ତି ପ୍ରତାପ ।ଆଜି ସକାଳୁ ମନ୍ତ୍ରୀ ଷଡଙ୍ଗୀ ପଞ୍ଚଲିଙ୍ଗେଶ୍ୱର ବସଷ୍ଟାଣ୍ଡର ବିଭିନ୍ନ ଅଞ୍ଚଳରେ ଝାଡୁ ମାରି ସଫେଇ କରିଥିଲେ । ଏଥିରେ ତାଙ୍କ ସହ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ବହୁ କର୍ମୀ ମଧ୍ୟ ସାମିଲ ହୋଇଥିଲେ ।