କଟକ (ଏଟିଆର ବ୍ୟୁରୋ); ଦୀର୍ଘ ୨୦ ବର୍ଷର ସମ୍ପର୍କକୁ ଛିଡାଇ କଂଗ୍ରେସ ଛାଡିଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେେହେରା । ଶନିବାର ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ଜଣକ ପରେ ଜଣେ କଂଗ୍ରେସର ଟାଣୁଆ ନେତା ଦଳ ଛାଡିବା ଦଳକୁ ଲାଗିଛି ଶକ୍ତ ଝଟକା । ଦଳରେ ତାଙ୍କୁ ଅବହେଳା କରୁଥିବାରୁ ସେ ଦଳ ଛାଡିବା ପାଇଁ ବାଧ୍ୟ ହୋଇଥିବା ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି । ତେବେ ସେ କେଉଁ ଦଳରେ ସାମିଲ ହେବେ ତାହା ଜଣାପଡିନାହିଁ । କିନ୍ତୁ ଏଇ ଦିନେ ଦୁଇଦିନ ଭିତରେ ପ୍ରକାଶ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇଯିବ ।
କଂଗ୍ରେସ ପାଇଁ ଦୀର୍ଘ ୨୦ ବର୍ଷ କାମ କରୁଥିଲେ ସୁଦ୍ଧା ଦଳ ତାଙ୍କୁ ଅବହେଳା କରି ଆସୁଥିଲା । ଏବଂ ଦଳରେ ସେ ଅପମାନିତ ହୋଇ ଆସୁଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେପଟେ ପୂର୍ବରୁ ଚର୍ଚ୍ଚା ହେଉଥିଲା କି ପ୍ରକାଶ ବିଜେଡି ସହ ଡିଲ କରୁଛନ୍ତି ଏବଂ କଂଗ୍ରେସ ଛାଡିବା ପରେ ସେ ବିଜେଡିରେ ଯୋଗ ଦେବେ । କିନ୍ତୁ ଏବେ ଚର୍ଚ୍ଚା ହେଉଛି କି ସେ ବିଜେପି ମୁହାଁ ହୋଇଛନ୍ତି । ଏବଂ ଆଜି ସେ ଦିଲ୍ଲୀ ଯାଇ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇପାରନ୍ତି ।
ପ୍ରକାଶ ବେହେରା ଝାରସୁଗୁଡା ବିଧାୟକ ନବ ଦାସ କଂଗ୍ରେସ ଛାଡିବା ଦିନଠାରୁ ଚର୍ଚ୍ଚାରେ ରହିଆସିଥିଲେ କି ସେ ମଧ୍ୟ କଂଗ୍ରେସକୁ ବାଏ ବାଏ କହିବେ । ଶେଷରେ ଆଜି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ କଂଗ୍ରେସ ପାଇଁ ଏହା ଅତ୍ୟନ୍ତ ଦୁଃଖଦାୟକ । କାରଣ ଦଳ ନିରଞ୍ଜନଙ୍କ ନେତୃତ୍ୱରେ ଯେତିକି ଉନ୍ନତି କରିବା ପାଇଁ ଚେଷ୍ଟା କରିଥିଲା ଦଳ ସେତିକି ଉନ୍ନତି କରିନାହିଁ ବୋଲି ଚର୍ଚ୍ଚା ହେଉଛି । ତେବେ ପ୍ରକାଶଙ୍କୁ ଜିଲ୍ଲା ସଭାପତି ପଦରୁ ବାହାର କରିବା ଦିନଠାରୁ ସେ କଂଗ୍ରେସରୁ ମୋହ ଛିଡାଇ ଦେଇଛନ୍ତି ।