ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସମ୍ବଲପୁର ବିଧାନସଭା ଆସନରେ ବିଜେଡିକୁ ଝଟକା ଲାଗିଛି । ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ମହିଳା ନେତ୍ରୀ ରାସେସ୍ୱରୀ ପାଣିଗ୍ରାହୀଙ୍କୁ ହରାଇ ବିଜେଡି ହାତରୁ କ୍ଷମତା ଛଡାଇ ଆଣିଛି ବିଜେପି । ଜୟନାରାୟଣ ମିଶ୍ର ରାସେସ୍ୱରୀଙ୍କୁ ୫ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ବିଜେପି ଏହି ବିଜୟ ପରେ କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଖୁସିର ଲହରୀ । ରାସେସ୍ୱରୀଙ୍କ ଭଳି ଟାଣୁଆ ନେତାଙ୍କ ପରାଜୟ ବିଜେଡି ପାଇଁ ଅଶୁଭ ସଙ୍କେତ ।
୨୦୧୪ରେ ରାସେସ୍ୱରୀ ଜୟଙ୍କୁ ହରାଇ ବିଜୟ ହୋଇଥିଲେ । ହାରିବା ପରେ ସଂଗଠନକୁ ଦୃଢ଼ କରିବା ପାଇଁ ଲାଗି ପଡିଥିଲେ ଜୟ । ଅପରପକ୍ଷରେ ରାସେସ୍ୱରୀ ଲୋକଙ୍କ ସହିତ ଅଧିକ ମିଶୁନଥିବା ମଧ୍ୟ ଶୁଣିବାକୁ ମିଳିଥିଲା । ଯାହାର ଫାଇଦା ଉଠାଇ ସମସ୍ତଙ୍କ ପାଖରେ ପହଁଞ୍ଚିବା ପାଇଁ ଚେଷ୍ଠା କରିଥିଲେ ଜୟ । ଶେଷରେ ଜନତା ତାଙ୍କୁ ବିଜୟ ଭେଟି ଦେଇଥିଲେ । ଏଠାରେ ତିନି ପ୍ରମୁଖ ରାଜନୈତିକ ମଧ୍ୟରେ ଟକ୍କର ହୋଇଥିଲା ।
କଂଗ୍ରେସ ପ୍ରାର୍ଥୀ ତିନି ନମ୍ବର ସ୍ଥାନରେ ରହିଥିଲେ । ଡଃ ଅଶ୍ୱିନୀ କୁମାର ପଢ଼ିହାରୀ ୧୧,୬୫୨ ଖଣ୍ଡ ଭୋଟ ପାଇଥିଲେ । ବିଜୟ ହୋଇଥିବା ଜୟଙ୍କୁ ମିଳିଥିଲା ୫୭,୩୪୯ ଖଣ୍ଡ ଭୋଟ । ୨୦୧୪ରେ ରାସେସ୍ୱରୀ ୪୮,୩୬୨ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ଏଥରକ ତାଙ୍କୁ ମିଳିଥିଲା ୫୨,୯୬୯ ଖଣ୍ଡ ଭୋଟ । ପୂର୍ବ ନିର୍ବାଚନ ଅପେକ୍ଷା ଯଦିଓ ସେ ଅଧିକ ଭୋଟ ପାଇଛନ୍ତି କିନ୍ତୁ ତାଙ୍କ ବିପକ୍ଷରେ ଯାଇଛି ମତଦାନ ।