ଜଗତସିଂହପୁର (ଏଟିଆର ବ୍ୟୁରୋ); ଉଗ୍ର ହୋଇଛି ନିର୍ବାଚନୀ ହିଂସା । ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଢ଼ିଙ୍କିଆ ଗାଁରୁ ଆସିଛି ଏଭଳି ଖବର । ଝିଙ୍କିଆ ପଞ୍ଚାୟତରେ ଆସନ୍ତା ୩ ତାରିଖରେ ନିର୍ବାଚନ ହେବାକୁ ଅଛି । ତେବେ ୧ ତାରିଖ ରାତିରେ ଶେଷ ନିର୍ବାଚନ ପ୍ରଚାର ଥିଲା । ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ସୁଶାନ୍ତ ସାମଲ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏବେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି ।
ଢ଼ିଙ୍କିଆ ପଞ୍ଚାୟତରେ ଆସନ୍ତା କାଲି ଉପନିର୍ବାଚନ ହେବାକୁ ଯାଉଛି । ସରପଞ୍ଚ ଏବଂ ୱାର୍ଡ ମେମ୍ବର ପାଇଁ ନିର୍ବାଚନ ହେବ । ତେବେ ସରପଞ୍ଚଙ୍କ ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର କରିଥିଲେ । ତେବେ ଗତକାଲି ସଂନ୍ଧ୍ୟା ପୂର୍ବରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲା । ଫଳରେ ଆଉ ପ୍ରଚାର କଥା ନୁହେଁ । କିନ୍ତୁ ଏକ ପ୍ରମୁଖ ରାଜନୈତିକ ଦଳର ନେତାମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାହିରୁ ସାହି ବୁଲି ବୁଲି ପ୍ରଚାର କରିଥିଲେ ।
ଏହି ପ୍ରଚାରକୁ ନେଇ ସବୁଠି ଦେଖାଦେଇଥିଲା ଅସନ୍ତୋସ । ତେବେ ଏହି ପ୍ରଚାର ବନ୍ଦ କରିବା ପାଇଁ ଗୋଷ୍ଠୀ କହିବା ପରେ ଉତ୍ତେଜନା ଦେଖା ଦେଇଥିଲା । ଶେଷରେ ଏହି ଉତ୍ତେଜନା ଗଣ୍ଡଗୋଳର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲେ । ଏହି ମାଡଗୋଳରେ ସୁଶାନ୍ତ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।