ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେରଙ୍କ ଶୁଣାଣି ଆଜି । ଭୁବନେଶ୍ୱର ଆଡିସନାଲ ଡିଷ୍ଟ୍ରିକ ଆଣ୍ଡ ସେସନ୍ସ କୋର୍ଟରେ ହେବ ଶୁଣାଣି । ଆଜି ବିଧାୟକଙ୍କ ଜାମିନ ଆବେଦନ ବିଷୟରେ ହେବ ଶୁଣାଣି । ଏଣୁ ବିଧାୟକଙ୍କୁ ଗତକାଲି ବିଳମ୍ବିତ ରାତିରେ କଡା ସୁରକ୍ଷା ବଳୟରେ ପାଟଣାଗଡ ଜେଲରୁ ଭୁବନେଶ୍ୱର ଅଣା ଯାଇଛି । ଆଜି ଶୁଣାଣି ବେଳେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର, ତାଙ୍କ ପତ୍ନୀ ତଥା ଅଭିଯୋଗକାରିଣୀ ପ୍ରବୀଣା ରାଜହଂସ, ପାଟଣାଗଡ଼ ଏସ୍ଡିପିଓ ଓ ପାଟଣାଗଡ଼ ଏଡିଜି କୋର୍ଟର ସରକାରୀ ଓକିଲ ଉପସ୍ଥିତ ରହିବେ।
ଜେଇଙ୍କୁ ବସ ଉଠ କରାଇଥିବା ଏବଂ ଜାତିକୁ ନେଇ ଆକ୍ଷେପ କରିଥିବାରୁ ଗତମାତ ୨୪ ତାରିଖରେ ପାଟଣାଗଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଦିନେ ଜେଲରେ ରହିବା ପରେ ବିଧାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ଏଣୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ସେ ସୁସ୍ଥ ହେବାରୁ ତାଙ୍କୁ ପୁଣିଥରେ ଜେଲକୁ ନିଆଯାଇଥିଲା । ଆଜି ତାଙ୍କୁ ଭୁବନେଶ୍ୱର ଅଣାଯାଇଛି ଶୁଣାଣି ପାଇଁ ।
ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ଗମ୍ଭାରୀ ଗ୍ରାମର ଏକ ରାସ୍ତା କାମ ଯାଞ୍ଚ ପାଇଁ ଯାଇଥିବା ବେଳେ ସେଠାରେ ସର୍ବସାଧାରଣ ସମ୍ମୁଖରେ ବିଧାୟକ ଶ୍ରୀ ମେହେର ଉକ୍ତ ରାସ୍ତା ଦାୟିତ୍ବରେ ଥିବା ଜେଇ ଜୟକାନ୍ତ ଶବରଙ୍କୁ କାନଧରି ବସ ଉଠ କରାଇଥିଲେ। ଏହି ଘଟଣା ସଂପର୍କରେ ଶ୍ରୀ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ଗତ ୬ ତାରିଖରେ ପାଟଣାଗଡ଼ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ ଏବଂ ପୁଲିସ ମାମଲା ରୁଜୁ କରିଥିଲା। ବିଧାୟକଙ୍କ ଗିରଫ ଦାବି କରି ବଲାଙ୍ଗୀର ଜେଇ ମହାସଂଘ, ଜିଲ୍ଲା ଆଦିବାସୀ ମହାସଂଘ ଆନ୍ଦୋଳନ କରିଥିଲେ। ଶେଷରେ ବିଧାୟକ ଶ୍ରୀ ମେହେରଙ୍କୁ ପୁଲିସ ଗିରଫ କରିଥିଲା।