ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଛନକା ସେତିକି ବଢ଼ିବାରେ ଲାଗିଛି । କିଏ ଦଳରୁ ତଡା ଖାଉଛି ତ ଆଉ କିଏ ସ୍ୱାର୍ଥ ପାଇଁ ଦଳ ଛାଡୁଛି । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀ ଏବଂ ସଂସଦୀୟ କ୍ଷେତ୍ରରେ ଆରମ୍ଭ ହୋଇ ଯାଇଛି ଏଭଳି ଦଳ ଅଦଳ ବଦଳ ରାଜନୀତି । ଏବେ ପୁଣି ଏକ ଘଟଣାକୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ବ୍ରହ୍ମପୁର ସାଂସଦ ତଥା ଅଭିନେତାରୁ ରାଜନେତା ହୋଇଥିବା ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡି ବିଜେପିରେ ଯୋଗ ଦେବେ । ୨ଥର ବ୍ରହ୍ମପୁର ଆସନରୁ ସାଂସଦ ହୋଇଥିଲେ ଏଥରକ ତାଙ୍କୁ ଦଳ ଭରଷା କରି ଟିକେଟ ଦେଇନପାରେ । ଏଣୁ ସେ ବିଜେପି ମୁହାଁ ହେବେ ବୋଲି ଶୁଣିବାକୁ ମିଳୁଛି । ଏଣୁ ସବୁଠି ଚର୍ଚ୍ଚା ସିଦ୍ଧାନ୍ତ ବଦଳାଇବେ ସିର୍ଦ୍ଧାନ୍ତ ।
ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଦବଦବା ଜାହିର କରି ଆସୁଥିବା କଂଗ୍ରେସର ବରିଷ୍ଟ ନେତା ଚନ୍ଦ୍ର ଶେଖର ସାହୁଙ୍କ ବିଜୟରେ ବ୍ରେକ ଲଗାଇଥିଲେ ସିଦ୍ଧାନ୍ତ । ପ୍ରଥମଥର ଲାଗି ୨୦୦୯ ନିର୍ବାଚନରେ ଲୋକସଭା ଆସନରେ ନିର୍ବାଚନ ଲଢ଼ି ଚନ୍ଦ୍ର ଶେଖରଙ୍କୁ ଅମାନତ ହରାଇଥିଲେ ସିଦ୍ଧାନ୍ତ । ପରେ ୨୦୧୪ ନିର୍ବାଚନରେ ମଧ୍ୟ ପୁଣିଥରେ ବିଜୟ ବାନା ଉଡାଇଥିଲେ ସିଦ୍ଧାନ୍ତ । ତେବେ କଂଗ୍ରେସ ନେତା ଚନ୍ଦ୍ର ଶେଖର ବିଜେଡିରେ ଯୋଗ ଦେବା ପରେ ସିଦ୍ଧାନ୍ତ ବିଜେଡି ଟିକେଟ ନପାଇବା ଏକପ୍ରକାର ଚର୍ଚ୍ଚା ହୋଇ ଆସୁଥିଲା । ବିଜେଡି ଚନ୍ଦ୍ର ଶେଖରଙ୍କୁ ଟିକେଟ ଦେଇ ସିଦ୍ଧାନ୍ତଙ୍କୁ ବସାଇ ଦେବ ବୋଲି ଶୁଣିବାକୁ ମିଳୁଛି ।
ତେବେ ଦୁଇଥର ବ୍ରହ୍ମପୁର ଆସନରୁ ଜିତିବା ପରେ ସିଦ୍ଧାନ୍ତ ପୁଣିଥରେ ବିଜେଡି ଟିକେଟ ପାଇଁ ଲବି କରି ବସିଥିଲେ ସୁଦ୍ଧା ନମିଳିବା ଜାଣି ସାରିଲେଣି । ଏଣୁ ସେ ବିଜେପି ମୁହାଁ ହେବେ ବୋଲି ଚର୍ଚ୍ଚା ହେଉଛି । ବିଜେପିରେ ବହୁ ସାଥୀ କଳାକାର ରହିଛନ୍ତି । ମହାଶ୍ୱେତା,ଅପରାଜିତା,ମିହିର ଦାସ ଏବଂ ଅନୁଚୌଧୁରୀଙ୍କ ଭଳି କଳାକାର ରହିଛନ୍ତି । ଏଣୁ ବିଜେଡି ଟିକେଟ ନପାଇଲେ ଏମାନଙ୍କ ମଧ୍ୟସ୍ଥତାରେ ବିଜେପିରେ ଯୋଗ ଦେଇପାରନ୍ତି ସିଦ୍ଧାନ୍ତ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ସିଦ୍ଧାନ୍ତଙ୍କ ସିଦ୍ଧାନ୍ତ ଉପରେ ଏବେ ସମସ୍ତଙ୍କ ନଜର।