ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସବୁ ଦଳରେ ଟିକେଟ ବଣ୍ଟାକୁ ନେଇ ଟଣା ଓଟରା ହେଉଛି । ତେବେ ଟିକେଟକୁ ନେଇ ହେଉଥିବା କାଦୁଅ ଫିଙ୍ଗାଫିଙ୍ଗି ରାଜନୀତିରେ ଆଗରେ ରହିଛି ବିଜେଡି । ଦଳରେ ବହୁ ଆଶାୟୀ ପ୍ରାର୍ଥୀଙ୍କ ଟିକେଟ କଟିଯାଇଛି । ଯାହାକି ଦଳକୁ ଆଗାମି ଦିନରେ ଅସୁବିଧାରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଟିକେଟ ବଣ୍ଟା ଅଡୁଆରେ ଛନ୍ଦି ହୋଇ ଯାଇଛନ୍ତି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ବ୍ରହ୍ମପୁର ଲୋକସଭା ଆସନରେ ଦୁଇ ଦୁଇ ଥର ସାଂସଦ ହୋଇଥିଲେ ସୁଦ୍ଧା ଏଥରକ ଦଳ ତାଙ୍କୁ ଟିକେଟ ଦେଇନାହିଁ ।
ଲୋକସଭା ଆସନ କଟିବା ପରେ ତାଙ୍କୁ ବିଜେଡି ଚିଲିକା ଆସନରେ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ଚର୍ଚ୍ଚା ହେଉଥିଲା । କିନ୍ତୁ ଗତକାଲି ବିଜେଡି ସୁପ୍ରିମୋ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଚିଲିକା ଆସନରେ ବୋଲଗଡ-ବେଗୁନିଆ ବିଧାୟକ ପ୍ରସାନ୍ତ ଜଗଦେବଙ୍କୁ ପ୍ରାର୍ଥୀ କରିଛି । ଫଳରେ ସିଦ୍ଧାନ୍ତ ପ୍ରାର୍ଥୀ ହେବାର ଶେଷ ଇଛା ମରିଯାଇଛି ବୋଲି ଶୁଣିବାକୁ ମିଳୁଛି । ଚିଲିକା ଆସନରେ ପ୍ରସାନ୍ତଙ୍କ ଅପେକ୍ଷା ସିଦ୍ଧାନ୍ତଙ୍କ ପଲ୍ଲା ଭାରି ରହିଥାଆନ୍ତା ବୋଲି ଚର୍ଚ୍ଚା ହେଉଛି । ବେଗୁନିଆ ଥାନରେ ପ୍ରସାନ୍ତଙ୍କ କେସ ରାଜ୍ୟ ରାଜନୀତିରେ ହଟ୍ଟଚମଟ କରିଥିଲା । ଫଳରେ ବିଜେଡି ପୁରୁଣା ଆସନରେ ପ୍ରାର୍ଥୀ ନକରି ଚିଲିକା ପଠାଇ ଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ବ୍ରହ୍ମପୁର ଲୋକସଭା ଆସନରେ ଲଗାତାର ଭାବେ ବାଜି ମାରୁଆସୁଥିବା ଚନ୍ଦ୍ରଶେଖର ସାହୁଙ୍କ ବିଜୟରେ ରୋକ ଲଗାଇଥିଲେ ସିଦ୍ଧାନ୍ତ ମହାପାତ୍ର । ସ୍ଥାନୀୟ ସଂସଦୀୟ କ୍ଷେତ୍ରରେ ଲୋକ ପ୍ରିୟତା ଭଲ ରହିଥିଲେ ସୁଦ୍ଧା ଟିକେଟ କଟିବାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ତେବେ ସିଦ୍ଧାନ୍ତ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । କିନ୍ତୁ ସେ ଏହାକୁ ଖଣ୍ଡନ କରିଥିଲେ । ଚଳିତ ନିର୍ବାଚନରେ ତାଙ୍କୁ ଦଳ ଟିକେଟ ନଦେବା ପରେ ସିଦ୍ଧାନ୍ତଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାଉପରେ ସମସ୍ତଙ୍କ ନଜର ।